Are Rabana Bare Suna Mo Gira

ଆରେ ରାବଣ ବାରେ ଶୁଣ ମୋ ଗିର

(Kabisurjya— Ekatali)
(କବିସୂର୍ଯ୍ୟ— ଏକତାଳି)

(Suchitra Prabandha)
(ସୁଚିତ୍ର ପ୍ରବନ୍ଧ)

ଆରେ ରାବଣ
ବାରେ ଶୁଣ ମୋ ଗିର
ଆଜ୍ଞା ଦେଲେ ରଘୁବୀର ଛେଦିବି ତୋ ଦଶ ଶିର । ଘୋଷା ।

ସେ ପ୍ରଭୁ ପରମେଶ୍ୱର କୋଟି ବ୍ରହ୍ମାଣ୍ଡ ଈଶ୍ୱର
ସୂର୍ଯ୍ୟବଂଶେ ଅବତାର ଶ୍ୟାମସୁନ୍ଦର
ଶ୍ରୀ ରାମ ନାମ ତାଙ୍କର ସର୍ବ ଗୁଣେ ଶୋଭାକର
ଦୁଷ୍ଟଙ୍କ ଦର୍ପ ବିନାଶି ଊଶ୍ୱାସିବେ ମହୀ ଭାର । ୧ ।

ପିତା ସତ୍ୟ ପ୍ରତିପାଳି ବନେ ହେଲେ ତପଚାରୀ
ଘେନି ଜନକ ଦୁଲ୍ଲାଳୀ ଭାଇ ସଙ୍ଗର
ଏବେ ତୁ ତାହାଙ୍କ ନାରୀ ଆଣିଅଛୁ ଚୋରି କରି
ବିଜେ କଲେ ଚାପଧାରୀ ଘେନିଣ ସୈନ୍ୟ ସଙ୍ଗର । ୨ ।

ଏବେ ବୁଦ୍ଧି ଥିଲେ ଜାଣି ଦେଇ ଶ୍ରୀ ରାମ ଘରଣୀ
ଶରଣ ପଶି ତୁ ପୁଣି ହୁଅ ଚାକର
କବିସୂର୍ଯ୍ୟ ଗୀତେ ଭଣି ନୋହିଲେ କୋଦଣ୍ଡପାଣି
ସବଂଶ ତୋହର ହାଣି ପଠାଇବେ ଯମପୁର । ୩ ।