(ଦ୍ୱିଜ ପୀତବାସ— ଆଡ଼ତାଳି)
ଝୁଲିବେ ତ ଆଜ କୁଞ୍ଜେ ବରଜରାଜ
ଭୁଲି ନ ଯିବ କେ ଚାହିଁ ଗୋ । ଘୋଷା ।
ଶୁକ ଶାରୀ କପୋତ ମୟୂର ପାରାବତ
ରଟିବେ ଚିତ୍ତ ରସାଇ ଗୋ
କେ ଦେଇ ହୁଳହୁଳି ବ୍ରଜ ବାଳିକା ଦୋଳି
ଦେଉଥିବେ ଦୋହଲାଇ ଗୋ । ୧ ।
ଶୁଣ ନର ଯୁବତୀ କୁଳବତୀଏ ଛାତି
ପଥରେ ଥିଲେ ବନ୍ଧାଇ ଗୋ
ସେ ନଟବର ବେଶ ସତୀ ଧଇର୍ଯ୍ୟ ଧ୍ୱଂସ
ନୋହିବ କେ ଅବା ଅନାଇଁ ଗୋ । ୨ ।
ସକଳ ଜନ ମିଳି ହା କୃଷ୍ଣ ବନମାଳୀ
ବୋଲି ଉତ୍ସୁକେ ଗୀତ ଗାଇ ଗୋ
ନାଚୁଥିବେ ଆନନ୍ଦ ହୋଇ ଭକତବୃନ୍ଦ
ତାଳ କଂସାଳ ବଜାଇ ଗୋ । ୩ ।
ଶିଖଣ୍ଡଚୂଳ ସଖୀ ଚାଲ ଗୋ ଯିବା ଦେଖି
ଶ୍ରୀମୁଖ ରଜନୀ ରସାଇ ଗୋ
କହଇ ଦ୍ୱିଜ ପୀତବାସ ରହୁ ମୋ ଚିତ୍ତ
ସେ ଯୁଗଳ ଚରଣ ଧ୍ୟାଇ ଗୋ । ୪ ।