(ଉପେନ୍ଦ୍ର ଭଞ୍ଜ— ରାଗ ଖମ୍ବାଜ, ତାଳ ଖେମଟା)
ମିତ ମିତଣୀରେ
ଯାହା ମୁଁ ଦେଖିଲି ଆଜ
ଶୁଣିବା ଲୋକର ମନକୁ ନ ଆସେ
କହିବା ଲୋକକୁ ଲାଜ । ଘୋଷା ।
ପୁରୁଷର ଇନ୍ଦ୍ରି ଠୂଳେ ନାହିଁ କିଛି
ସ୍ତିରୀ ନୁହେଁ ସେ ପଦ୍ମିନୀ
ଅତି ହରଷରେ ରତି କରୁଥାନ୍ତି
ନାହିଁ ଦିବସ ରଜନୀ । ୧ ।
କିଛି ଦିନ ଅନ୍ତେ ପୁତ୍ର ଜନମିଲା
କୁଆଁ କୁଆଁ ରାବ ଦେଇ
ସ୍ତନ ନାହିଁ ପୁତ୍ର କ୍ଷୀର ଖାଉଅଛି
ମୁଖଗୋଟି ତାର ନାହିଁ । ୨ ।
ପାଦ ନାହିଁ ପୁତ୍ର ଗମନ କରଇ
କର୍ଣ୍ଣ ନାହିଁ ବାକ୍ୟ ଶୁଣେ
ଚକ୍ଷୁ ନାହିଁ ପୁତ୍ର ତିନିପୁର ଦେଖେ
ଜିହ୍ୱା ନାହିଁ ସ୍ୱାଦୁ ମଣେ । ୩ ।
ଭଣେ ଉପଇଦ୍ର ଭଞ୍ଜ ବୀରବର
ଏ ରସରୁ ରସ ନାହିଁ
କବିକି ଛମାସ ଜ୍ଞାନୀକି ବରଷେ
ମୂର୍ଖ ତା ବୁଝିବ କାହିଁ । ୪ ।