(ଶେଖର— ରାଗ ଚନ୍ଦ୍ରିକା କାମୋଦୀ, ତାଳ ଝୁଲା)
କି ରସିକ ସେ
ବିରସ ଯାହାର ମୁଖୁଁ ନିକସେ
ପୁରୁଷ ହୋଇ ଯେ ନାରୀ ମନ ସୁନା
ପ୍ରୀତି କଷଟୀରେ ଯେବେ ନ କଷେ । ଘୋଷା ।
କଳନା ନ ଯାଏ ଲଳନାର ମୁଖ
କମଳ ପରାୟେ ସଦା ବିକଶେ
ଅଳି ହୋଇ ଯେବେ ଚୁମ୍ବି ନ ପାରଇ
ଅଳି କରିବାର ତାର ଧିକ ସେ । ୧ ।
ଚତୁରୀ ଚାତୁରୀ ବଚନ ଉଚ୍ଚାରି
ମରମେ ନୟନ ଶରକୁ ପେଷେ
ତହିଁକି ଯେ ପ୍ରତିଉତ୍ତର ନ ଦେଲା
ଯୁବାବୃନ୍ଦ ମଧ୍ୟେ ଅବିବେକ ସେ । ୨ ।
ଭିତରେ ସଦୟ ବାହାରେ ସଭୟ
ଦେଖାଇ କହନ୍ତି ମାତରକ ସେ
ଖେଳାଇ କରି ଯେ ଛଳାଇ ନ ନେଲା
ନ ଜାଣଇ କିଛି ବିତରକ ସେ । ୩ ।
ପଙ୍କଜାକ୍ଷୀ ବାଳା ଯା ଅଙ୍କେ ନ ବସେ
କେଉଁ ଭାଗ୍ୟବନ୍ତ କି ଅଧିକ ସେ
କହଇ ଶେଖର ମୋହିନୀ ଉତ୍ତର
ଜାଣିମୁଁ ତାହାର ନିକରକ ସେ । ୪ ।