(ଦ୍ୱିଜ ଶ୍ରୀଧର— ରାଗ କୁମ୍ଭକାମୋଦୀ, ତାଳ ଏକତାଳି)
ରସବତୀ କାହାର ଯୁବତୀରେ
କହ କହ ପ୍ରାଣସହି
ଖଣ୍ଡି ଯାଉଥିଲା ଚଣ୍ଡୀଶପଥ ସେ
ମଣ୍ଡି ଦେଉଥିଲା ମହୀ । ଘୋଷା ।
ମଦନକରର ମୁକୁରକୁ ନିନ୍ଦେ
ବଦନ ପୂର୍ଣ୍ଣମୀ ଇନ୍ଦୁ
ହସି ଯାଉଥିଲା ଅଳପ ଅଳପ
ଖସି ପଡ଼ୁଥିଲା ମଧୁ । ୧ ।
ଖେଳି ଯାଉଥିଲା ଖଞ୍ଜନ ପରାୟେ
ଢାଳି ଯାଉଥିଲା ଆଖି
ନ ଭୁଲିବ ଅବା କେଉଁ ଯତି ତାର
ଭ୍ରୂଲତା ତାଣ୍ଡବ ଦେଖି । ୨ ।
ପଙ୍କଜ ନୟନେ ଦୂର କରୁଥିଲା
ଝଲକ ମୁଖମଣ୍ଡଳ
ରଷାଣ କାଞ୍ଚନଗୋରୀକି ଦେଖିଲେ
ପାଷାଣ ହିଁ ହେବ ଜଳ । ୩ ।
ଝୀନ ରଙ୍ଗଶାଢ଼ୀ ଫୁଟି ଦିଶୁଥିଲା
ମୀନ ସୁଲୋଚନା କୁଚ
ଯେଡ଼େ ଯତନେ ଘୋଡ଼ାଇ ଯାଉଥିଲା
ତେଡ଼େ ଦିଶୁଥିଲା ଉଚ୍ଚ । ୪ ।
ଥଳକମଳ କି ଫୁଟି ଯାଉଥିଲା
ଚରଣ ଚାଳିବା ବେଳେ
କନକଲତା କି ଲୁଳି ଯାଉଥିଲା
ଅନେକ ରତନ ଫଳେ । ୫ ।
ରଙ୍ଗେ ଯାଉଥିଲା ରମଣୀରତନ
ଅଙ୍ଗେ ସାର ଶୋଭା ଘେନି
ପାଦେ ଶୋହିବାର ବାଜେଣୀ ନୁପୂର
ନାଦେ ମୋହୁଥିଲା ମୁନି । ୬ ।
କହେ କବି ଦ୍ୱିଜ ଶ୍ରୀଧର ଶ୍ରୀ କୃଷ୍ଣ
ରସେ ହାସ ଭାଷ ଦୂତୀ
ଶମ୍ବରାରି ଶର ଭ୍ରମ କରାଇଲା
ଭାଳ ତୁମ୍ଭ ପ୍ରିୟବତୀ । ୭ ।