(ବନମାଳୀ— ରାଗ କୋକିଳ, ତାଳ ଝୁଲା)
ପ୍ରୀତି ଛୁରୀ ଶାଣଦିଆ ରେ
ବାଜିବ ଛାତିକି କର ଲୁହା ରେ । ଘୋଷା ।
ସ୍ନେହ ଲୁହା ଯତ୍ନେ ତତାଇ
ଅଶ୍ରୁଜଳ ତହିଁରେ ଦେଇ
ମାର କାରିଗର ଯତନେ ଗଢ଼ିଛି
ତହିଁରେ କଳଙ୍କ ବିଷ ପିଆ ରେ । ୧ ।
ଅତି ବଡ଼ ତୀକ୍ଷ୍ଣ ସେ ଧାର
ନେତ୍ର ନ ଠାକଇ ତହିଁର
ନବୀନ ଦର୍ପଣ ପରି ଝଟକଇ
ସବୁଦିନେ ଦେଖ ଦିଶେ ନୂଆ ରେ । ୨ ।
ସେ ଛୁରୀକି ଯେହୁ ଛୁଇଁବ
ଜାତି କୁଳ ସବୁ ତେଜିବ
ନ ପାରିଲେ ଧରି ନିଶ୍ଚେ ନାଶ ଯିବ
ବିରହୀମାନଙ୍କ ପ୍ରାଣଖିଆ ରେ । ୩ ।
ବୋଲେ ବନମାଳୀ ସେ ଛୁରୀ
ସାନ ବଡ଼ ନୁହେଁ କାହାରି
ଯାହା ସଙ୍ଗେ ଯେତେ ପୀରତି କରଇ
ତେତିକି କରଇ କୁଆକୁଆ ରେ । ୪ ।