(ବନମାଳୀ— ରାଗ କୁମ୍ଭକାମୋଦୀ, ତାଳ ଏକତାଳି)
ବ୍ରଜରାଜ ରଜକୀ ଭରମେ ଲୋ ସଖୀ
ସୁଖ ଦେଲା ଯେତେ
ସେ ମୁରଲୀପାଣି ବସନ ନ ଜାଣି
ଭ୍ରମେ ଆଣି ଦେଲା ମୋତେ । ଘୋଷା ।
କି ସୁଖରେ ରାତି ବଞ୍ଚିଲି ମୁଁ ଛାତି
ଉପରେ ଦେଇ ଅମ୍ବର
ହେଲା ମୋତେ ପ୍ରତେ ସତେ କି ପୁରତେ
ବିଜୟ ନାଗରବର । ୧ ।
ପ୍ରଭାତୁଁ ଉଠନ୍ତେ ରଜକୀ ପ୍ରବେଶ
ସଭ୍ରମେ ମାଗନ୍ତେ ବାସ
ହାର ଲାଞ୍ଚ ଦେଇ କହିଲି ମଣାଇଁ
ଆଜକ ଥାଉ ମୋ ପାଶ । ୨ ।
ଏହିପରି ଯେତେ ଅଳଙ୍କାର ମୋର
ଦିଅଇ ଦିନକୁ ଦିନ
ରଖି ସେ ବସନ ତୋଷୁଥାଏଁ ମନ
ହୋଇଲି ଭୂଷଣହୀନ । ୩ ।
ଜଟିଳା ପୁଚ୍ଛିବେ ଯେତେବେଳେ ମୋତେ
କି ବୋଲି ଦେବି ଉତ୍ତର
ବୋଲେ ବନମାଳୀ ବୋଲ ଠାକୁରାଣୀ
ଶୋଇଥିଲି ନେଲା ଚୋର । ୪ ।