(ନିତ୍ୟାନନ୍ଦ— ରାଗ ପିଲୁ, ତାଳ ଖେମଟା)
ତୁମ୍ଭ ସଙ୍ଗେ ପୀରତି କରି ମୋହନ
ହେଲା ବିରହାନଳେ ରାଧା ଦହନ । ଘୋଷା ।
ଚଉପାଶରେ ଘେରି ଅଛନ୍ତି ସହଚରୀ
କମଳଦଳ ପରି ଶାନ୍ତି ପ୍ରଚାର କରି
ନୀଳମଣି ଝରୀରେ ହେମ ପ୍ରତିମା ପରି
ବ୍ୟସ୍ତେ ଶୋଇଛି ବାଳାରତନ । ୧ ।
ଘନକେଶୀ ସମର୍ପି ଯା ମନ ଯୌବନ
ପିତା ପତି କୁଳ ତେଜି ହେଲା ଉଚ୍ଛନ୍ନ ।
ମଣିବନ୍ଧରୁ ନାଡ଼ୀ ଯାଉଛି ଛାଡ଼ି ଛାଡ଼ି
ହୃଦେ କର କଚାଡ଼ି ସଜନୀ ଯାନ୍ତି ଗଡ଼ି
ମୋହ ଘଡ଼ିକି ଘଡ଼ି ଚେତନା ଯାଏ ବୁଡ଼ି
ଅତି ଉଚ୍ଚେ କରନ୍ତି ରୋଦନ । ୨ ।
ଯେ ଯେତେ କହିଲେ ନ ଶୁଣଇ ବଚନ
କାହା ମୁଖ ନ ଚାହେଁ ସେ ଟେକି ନୟନ ।
କେ ଧୀରେ ଧୀରେ ବିଞ୍ଚି ପନୀର ନୀର ସିଞ୍ଚି
ଭାଲେ ତାର ବିରଞ୍ଚି ଏ ଦଶା ଥିଲା ରଚି
ଆଶା ତ ନ ଦିଶୁଛି ସ୍ୱରୂପ କହୁଅଛି
ହୋଇଛି କଣ୍ଠାଗ୍ରତ ଜୀବନ । ୩ ।
ବାସ ବେଶ ମଣିଲାଣି ବିଷ ସମାନ
ଶିରୀଷ ଅଙ୍ଗିନୀ ତେଜିଲାଣି ଅଶନ ।
ହଂସୁଲି ତୁଳୀ ଶଯ୍ୟା ରତ୍ନପଲଙ୍କ ତେଜ୍ୟା
ପ୍ରୀତି କରିବା ମଜା ପାଇ ପୀନ ଊରଜା
ହେଲା ପଥର ସେ ଯା ବୃଷଭାନୁ ତନୁଜା
ଏହା ଦେଖିଲା ପାପ ନୟନ । ୪ ।
ଭାଷେ ନିତ୍ୟାନନ୍ଦ ମୂଢ଼ ପାମର ହୀନ
ତୁମ୍ଭ ପ୍ରୀତିକି ଜୁହାର ବଂଶୀବଦନ ।
ପୁଂସ ଜାତି ଭ୍ରମର ନୁହନ୍ତି ସେ କାହାର
ଭଲ ମନ୍ଦକୁ ଡର ନ କରନ୍ତି ବିଚାର
ତୁମ୍ଭେ ତ ଦଗାଦାରମାନଙ୍କ ସରଦାର
ବନ୍ଧୁ ହୃଦୟ ବଡ଼ କଠିନ । ୫ ।