Jhuluchanti Nikunja Kanane Go

ଝୁଲୁଛନ୍ତି ନିକୁଞ୍ଜ କାନନେ ଗୋ
(Janardana Sandha— Raga Kedaragouda, Tala Tripata)
(ଜନାର୍ଦ୍ଦନ ଷଣ୍ଢ— ରାଗ କେଦାରଗୌଡ଼ା, ତାଳ ତ୍ରିପଟା)

ଝୁଲୁଛନ୍ତି ନିକୁଞ୍ଜ କାନନେ ଗୋ
ସଜନୀ ରାଧା ମୋହନେ ଗୋ । ଘୋଷା ।

ଚାହିଁଲେ ମୋହୁଛି ମନ ନୋହୁଛି ନେତ୍ର ପତନ
କି ଯତନେ ଖଞ୍ଜିଛି ବିମାନ ଗୋ ।
(ପଡ଼ି)
ତହିଁ କୁଞ୍ଜ ଶୋଭନ ଲତାରେ ଆଚ୍ଛାଦନ
ଚିତ୍ର ବିଚିତ୍ର ପୁନ ବିକଶିତ ସୁମନ
ଷଡ଼ଋତୁ ସଦନ ନୋହେଟି ଏହୁ ଆନ
ଚୈତ୍ରରଥ ନନ୍ଦନ ବିନତି କରେ ଘେନ
ତେଜି ଧନେଶ୍ୱର ମରୁତ୍ୱାନେ ଗୋ । ୧ ।

ରତ୍ନଦୀପ ଶ୍ରେଣୀ ଶ୍ରେଣୀ ମଣିଗଣ ଜ୍ୟୋତି ଜିଣି
ନିଶି ଦିଶେ ବାସର ସମାନ ଗୋ ।
(ପଡ଼ି)
ଘେନିଣ ଚଉକତି ଯତ୍ନେ ଝୁଲାଉଛନ୍ତି
ତ୍ରାସ ଚିରାଳ ଛତ୍ର ଗଣନା ହିଁ ନୁହନ୍ତି
ଖଦି ଚାମର ପଙ୍ଖା ଆଲଟ କେ ଧରନ୍ତି
ପ୍ରତିହାରୀ ସମୂହେ ଘେନିଣ ବିହରନ୍ତି
ଖଟିଛନ୍ତି ତରୁ ଲତାମାନେ ଗୋ । ୨ ।

ଘୋଟି ଘନାଘନ ପ୍ରଭା ଚଞ୍ଚଳା ଦାମିନୀ ଆଭା
ଝର ଝର ବରଷେ ଜୀବନ ଗୋ ।
(ପଡ଼ି)
ନୀଳ ଗଗନ ଚାହିଁ କେକୀ ନୃତ୍ୟ କରଇ
ଶାରୀ ଶୁକ ପିକ ହିଁ ମଙ୍ଗଳ ଗୀତ ଗାଇ
ଘନ ଗର୍ଜ୍ଜନ ନୁହେଁ ଦୁନ୍ଦୁଭି ବାଦ୍ୟ ଏହି
ଜାଲିକ ଘଣ୍ଟ ପ୍ରାୟେ କାଳକଣ୍ଟକ ଦେହୀ
ପୂରିତ ଏ ଉନ୍ମାଦ ଗର୍ଜ୍ଜନେ ଗୋ । ୩ ।

ଯାତ୍ରା ଉତ୍ସବରେ ଧ୍ୟାନ କରନ୍ତୁ ବେଗେ ଗମନ
ଯହିଁ ବିଜେ ତ୍ରୈଲୋକ୍ୟ ମୋହନ ଗୋ ।
(ପଡ଼ି)
ଭଣନ୍ତି ଜନାର୍ଦ୍ଦନ ଷଣ୍ଢ ନୃପତିବର
କୁଞ୍ଜେ ଦର୍ଶନ କରି ହେବା ଏ ଭବୁଁ ପାର
ଶୂନ୍ୟମୟ ସଂସାର ନୋହେ ଏ ଜୀବ ଚିର
ମାୟା ମୋହକୁ ତେଜି ସେ ପାଦେ ଆଶ୍ରେ କର
ଦେଖ ପୁଣ୍ୟବତୀ ଗୋପୀମାନେ ଗୋ । ୪ ।