Bandhabi Jana Re

ବାନ୍ଧବୀ ଜାଣରେ
(Kabichandra Kali Charan— Raga Kanada, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ କାନଡ଼ା, ତାଳ ଏକତାଳି)

ବାନ୍ଧବୀ ଜାଣରେ
ମାନ ନ କର ଗୋରୀ ଚାରୁ ବିମ୍ବାଧରୀ
ବାମ ହେଲୁ ତୁ କାମବାଣ ନେବଟି ପ୍ରାଣ । ଘୋଷା ।

ସଖି ଏ କି ତୋ ରୀତି ଆଜ ରେ ଗଜଗତି
ହୋଇ ଗୁମାନବତୀ ବସିଛୁ ମଥା ପୋତି
(ପଡ଼ି)
ତୋ ବିନା ମୋ ଅରାତି ହେଲା ଏ ଶଶି ରାତି
ବୋଲାଇ ଦୟାବତୀ ଏ କି ଅପକୀରତି
ତାର ତାର ମାରେ ମାର ଆନ ମାନ । ୧ ।

ହୋଇ ସୁଜାଣମଣି ରସିକା କୁତୁକିନୀ
ନଖେ ଚିରୁ ମେଦିନୀ ନୟନେ ଭରି ପାଣି
(ପଡ଼ି)
ଛାର କଥାରେ ରୁଷା ସାର କଲୁରେ ଯୋଷା
ବରବରନା ଆଶା ଭରସା ତୁ ନ ଭସା
ଦାସ ଦୋଷ ନାଶ ଆସ ଜୀବଧନ । ୨ ।

ଆଉ ଏଣିକି କେବେ ଟାଳିବି ତୋତେ ଯେବେ
ନ ଚାହିଁ ମୋତେ ଲବେ ଦଣ୍ଡିବୁ ରାମା ତେବେ
(ପଡ଼ି)
କବିଶଶୀ ବଦତି ଆସ ଆସ ମୋ କତି
ସୁରପୁର ସମ୍ପତ୍ତି ପାତି ରଖିଛି ଛାତି
ପାଶେ ବସ ରସି ଭାଷ ତୋଷ ମନ । ୩ ।