(ଗୋପାଳକୃଷ୍ଣ— ରାଗ ଭୈରବୀ, ତାଳ ଖେମଟା)
ସେ ବ୍ରଜେନ୍ଦ୍ର କୁମାର
ତରଣୀ ତନୟା ତରଣୀରେ ଆଜ
କଲା କେତେ ହରବର । ଘୋଷା ।
ପାରି କରିଦେବି ବୋଲି ସେ ପାରିକି
ହାତ ଧରି ଘେନିଗଲା
ତରୀରେ ବସାଇ ଅଗାଧ ବାରିରେ
କ୍ଷେପଣୀ ଭସାଇ ଦେଲା । ୧ ।
ଶ୍ରୀକିଶୋରଶଶୀ କରେ ଧରି ବଂଶୀ
ଅଳପ ଅଳପ ହସି
ସେ ପ୍ରାନ୍ତରେ ରହି ଦେଲା ମା ଝୁଲାଇ
ଗଲା ଗଲା ବୋଲି ଭାସି । ୨ ।
ଦ୍ୱୀପ ନିକଟରେ କଣ୍ଠ ଦଘ୍ନ ନୀରେ
ନଉକା ଥକାଇ ଦେଲା
ଜଣ ଜଣକୁ କାଖିଆଇ ପହଁରି
ଏ ପାଖରେ ଛାଡ଼ିଦେଲା । ୩ ।
ଆଣୁ ମୁଖେ ମୁଖ ଲଗାଇ ଦିଅଇ
ଅଣାୟତ୍ତ ହେଲା ପରି
ନିତମ୍ବରେ ହାତ ଦିଅଇ ଊର୍ଦ୍ଧ୍ୱକୁ
ଟେକିଲା ପରାୟେ କରି । ୪ ।
ଗୋପାଳକୃଷ୍ଣ କହଇ ତୁନି ହୁଅ
ସେଠାରେ ଗଲା ସେ କଥା
ବ୍ରଜଯାକ ସ୍ଫୁଟ ହୋଇଯିବ ଏବେ
ଲାଜେ ନୁଆଁଇବ ମଥା । ୫ ।