Ke Ki Kahi Ki Bigidaila Re

କେ କି କହି କି ବିଗିଡ଼ାଇଲା ରେ
(Gopalakrusna— Raga Dhanasri, Tala Ekatali)
(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଏକତାଳି)

କେ କି କହି କି ବିଗିଡ଼ାଇଲା ରେ
ମୋହନଙ୍କୁ ମହୀରେ ଗଡ଼ାଇଲା ରେ । ଘୋଷା ।

ପ୍ରଥମ କରି ଆଜ ବ୍ରଜରାଜ ତନୁଜ
ନେତ୍ରରୁ ନୀର ନିଗିଡ଼ାଇଲା ରେ । ୧ ।

ତୋ ଲାଗି ରବିକନ୍ୟା ତୀର କୁସୁମ ବନ୍ୟା
ନିକୁଞ୍ଜ ଯାକ କେତେ ଲୋଡ଼ାଇଲା ରେ । ୨ ।

ଚାହୁଁ ଚମ୍ପକ ବଲ୍ଲୀ ସଜନୀ ତୁହି ବୋଲି
ଶ୍ୟାମ ଶ୍ରୀଭୁଜରେ ତ ଭିଡ଼ାଇଲା ରେ । ୩ ।

ପଡ଼ିଲା କେଡ଼େ ଦଣ୍ଡ ନବ ଶିଖୀ ଶିଖଣ୍ଡ
ମୁକୁଟ ମଥାରୁ ଛଡ଼ାଇଲା ରେ । ୪ ।

ଅଇଲି ସେ ସମୟ ହେଜି ମୁଁ କିଶଳୟ
ପାଇଁ ସୁବଳଙ୍କୁ ଦଉଡ଼ାଇଲା ରେ । ୫ ।

ଗୋପାଳକୃଷ୍ଣ ଭଣି ଶ୍ରୀମତୀଙ୍କି ସେକ୍ଷଣି
ଭେଟାଇ ଶ୍ୟାମ ଦୁଃଖ ଛଡ଼ାଇଲା ରେ । ୬ ।