(ବୀରମିତ୍ରୋଦୟ— ରାଗ ସାବେରୀ, ତାଳ ଏକତାଳି)
ଦରହାସୀ
କର କ୍ଷମା ମୁଁ ବଡ଼ ସାହସୀ ରେ । ଘୋଷା ।
ଧରାଶିର ଚମ୍ପାଝରା ରମ୍ୟ ମନ୍ଦାର ଅଧରା
ତୁ ଏକା ମୋ ଗତି ପରା ସକଳ ସୁଖ ପସରା
ନ ରଖିଲେ ଏବେ ଯିବି ଭାସି ରେ । ୧ ।
ଜାଣି ଅବା ମୁଁ ନ ଜାଣି ଅତିକ୍ରମି ତୋର ବାଣୀ
ଦୋଷ କଲିଣି ପ୍ରମାଣି ଚିତ୍ତେ ପ୍ରମାଦକୁ ଆଣି
ତେଜ ତାହା ଦୟା ପରକାଶି ରେ । ୨ ।
ଅପରାଧକୁ ଦାସରେ ପ୍ରଭୁ ଯେବେ ମାନସରେ
ଧରିବ ଅନବସରେ ବଞ୍ଚିବ କି ସେ ଶେଷରେ
ଏତେ ଭାଳି ମାନ ଦିଅ ନାଶି ରେ । ୩ ।
ଧରୁଅଛି ତୋ ପାଣିକି ଘେନ ବିନୟ ବାଣୀକି
ରାମାରତନ ଏଣିକି ନ ଚାହିଁବି ରେ କେଣିକି
ସ୍ମିତ ମୁଖେ ଅନା ଫେରି ଆସି ରେ । ୪ ।
ସ୍ୱର୍ଣ୍ଣପୁର ଯୁବରାଜ ଭାଷେ ଏ ରୀତିକି ଆଜ
ଜାଣିଲେ ଫୁଲନାରାଜ ରଚିବ ଦଣ୍ଡସମାଜ
କେଉଁ ଯଶ ହେବ ଦାସ ନାଶି ରେ । ୫ ।