(କବିସୂର୍ଯ୍ୟ— ରାଗ କୋଳାହଳ)
ଜୀବବାନ୍ଧବୀ ରେ ପ୍ରାଣବାନ୍ଧବୀ ରେ
ତୋ ବିନା ମୋତେ ନ ଦିଶେ ଆନ । ଘୋଷା ।
ଜଗତେ ନାଗରୀମାନଙ୍କ ମାଧୁରୀ
କରୁଥାଏ ମୁଁ ଯେ ଅନୁମାନ
ଗୋଟିଏ ଗୁଣରେ ତୋ ନଖ କୋଣରେ
ତୁଳିବାକୁ ନ ବଳଇ ମନ । ୧ ।
ପୂର୍ବ ତପ ବଳେ କରିବ ଯେ ବଳେ
ତୋ ମଧୁର ରଦଚ୍ଛଦ ପାନ
ସୁଧା ନିର୍ଝରୀକି ମଧୁର କରି କି
ଲେଖିବ ନ ଧରି ଅଭିମାନ । ୨ ।
ତରୁଣୀ ତୋ ବାଣୀ ମୃଦୁ ମୃଦୁ ଠାଣି
ଶୁଣିଥିବ ପୁଣି ଯାହା କାନ
ସେ କି ଗଉରବ ଯୋଗ୍ୟ ବିଚାରିବ
ଶୁକ ପିକ ବେଣୁ ବୀଣା ଗାନ । ୩ ।
ଥରେ ଯାହା ଉର କରିଥିବ ତୋର
ଘନ ପୀନ ସ୍ତନ ଆଲିଙ୍ଗନ
କୁମ୍ଭି କୁମ୍ଭସ୍ଥଳ ଯୁଗଳକୁ ସ୍ଥୂଳ
ମଣିବ କି ନ ବିଚାରି ନ୍ୟୂନ । ୪ ।
ମଧ୍ୟ ଥିଲେ ସିନା ତୋର ସୁଦର୍ଶନୀ
ଘଟନା କରନ୍ତି ଉପମାନ
ହରିକଟି ଡାକି ବେଦୀ ମଧ୍ୟରେ କି
କୃତାର୍ଥ କରନ୍ତେ ରୂପମାନ । ୫ ।
ହେଳେ ଯେ ମନ୍ଦରସ୍ତନା ତୋ ସୁନ୍ଦର
ଚାଲିରେ କରିବ ଦୃଷ୍ଟିହୀନ
ଯେବେ ଥିବ ଲାଜ ରୁଚିବ କି ରାଜ
-ହଂସ ଗଜରାଜ ଲୀଳା ଯାନ । ୬ ।
ଜଣାଇବି କିସ ଶେଷ ମୁଖେ ଶେଷ
ହେବାର ଆୟାସ ଯେ ବିଧାନ
କହେ ଜଳନ୍ତର ମହୀ ପୁରନ୍ଦର
ଥିବ ମାତ୍ର କିଛି ଅବଧାନ । ୭ ।