(ବନମାଳୀ— ରାଗ ଶଙ୍କରାଭରଣ, ତାଳ ରୂପକ)
ଅନାଇଁ ଦେଲୁ କି ରାଧେ
କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି । ଘୋଷା ।
ଶ୍ୟାମ ନଟବର ବେଶ ଅପୂର୍ବ କଥନ
ଯେଉଁ ରୂପ କରୁଅଛୁ ଭୁବନ ମୋହନ । ୧ ।
କୋଟିଏ ମଦନ ଯଦି ଗୋଟିଏ ହୋଇବ
କଟି ସରୁଆ ଶୋଭାକୁ ସମ ତ ନୋହିବ । ୨ ।
ଭ୍ରୂଲତା ଯୁଗଳ ତା କନ୍ଦର୍ପ ଶରାସନ
ଚଞ୍ଚଳ ନୟନାଞ୍ଚଳ ଅଲକ୍ଷିତ ବାଣ । ୩ ।
ତାର ପ୍ରତି ଅଙ୍ଗେ ପୂରିଅଛି ଶୋଭାରାଶି
ରମା ଉମା ଶଚୀ ଯାର ପାଦତଳ ଦାସୀ । ୪ ।
ସତୀ ମତିଭୁଲା ପରିବରତ ଉଜୁଡ଼ା
ବୋଲେ ବନମାଳୀ କୁଳଛଡ଼ା ଘରବୁଡ଼ା । ୫ ।