(ବନମାଳୀ— ରାଗ ଦେଶବରାଡ଼ି, ତାଳ ଝୁଲା)
ଆଜ ବ୍ରଜରାଜ କୁମର
ରାଜପଥରେ ଯାଉଥିଲେ ଗୋ । ଘୋଷା ।
ଗେଲେ ଗେଲେ ଖେମଟା ନାଚେ
ଆସୁଥାନ୍ତି ଗୋକୁଳ ପଛେ
ବାନ୍ଧି ଚୂଳ ମୟୂର ପୁଚ୍ଛେ
ସେହି ସେ ପୂତନା ପ୍ରାଣ ଘେନା ଗୋ । ୧ ।
ନୟନ କଜ୍ଜ୍ୱଳ ଲାଞ୍ଜି
କିବା ମଦନ ଶର ସାଜି
ନବ ଯୁବା ନାରୀ ମରମ ଖୋଜି
ବିବେକ ବୁଦ୍ଧିକି କରେ ବଣା ଗୋ । ୨ ।
ତାଙ୍କ ଯେଉଁ ଶ୍ରୀମୁଖ ଶୋଭା
ଦେଖି କେ ବା ନୋହିବେ ଲୋଭା
ଉପେକ୍ଷିବେ ନାରୀ କେ ନବ ଯୁବା
କହିଥିଲେ ଯାହା କହି ନୋହେ ଗୋ । ୩ ।
ତାଙ୍କ ଯେଉଁ ଭୂରୁ ଛଟକ
ଚାହିଁଲେ କି ଆଉ ପଡ଼େ ପଲକ
ଏହି ରୀତି ଥିଲେ କାଳକ ଯାକ
ଆଉ କି ବଞ୍ଚିବେ ଗୋପାଙ୍ଗନା ଗୋ । ୪ ।
କରୀବର ଗତିକି କରି
ହରି କରେ ମୁରଲୀ ଧରି
କରୀବର କର ଶିରୀକି ଧରି
ସଧୀରେ ବଂଶୀ ବଜାଉଥିଲେ ଗୋ । ୫ ।
ବନମାଳୀ କହଇ ଗୀତେ
ତାର ଛବି କହିବି କେତେ
ଦେଖିଲା ବେଳକୁ ଚିତ୍ତ ଛନ୍ନ ଛନ୍ନ
ମନକୁ ମୋହର ମୋହି ନେଲେ ଗୋ । ୬ ।