Utha Nisi Pahila Ethara He Bansidhara

ଉଠ ନିଶି ପାହିଲା ଏଥର ହେ ବଂଶୀଧର
(Banamali— Raga Malabagouda, Tala Ekatali)
(ବନମାଳୀ— ରାଗ ମାଳବଗୌଡ଼ା, ତାଳ ଏକତାଳି)

ଉଠ ନିଶି ପାହିଲା ଏଥର ହେ ବଂଶୀଧର । ଘୋଷା ।

ମନ୍ଦିରେ ଡାକିଲେ ଶୁକ ବୃକ୍ଷରେ ରାବିଲେ କାକ
କୁହୁ କୁହୁ ରଟେ ପିକ କୁକ୍କୁଟ ଡାକିଲେ ପରଖର ହେ । ୧ ।

ଡାକେ ଯଶୋବନ୍ତୀ ଭାଳି ଉଠ ମୋର ବନମାଳୀ
ଶ୍ରୀମୁଖ ଦେବି ପଖାଳି ଝରୀରେ ରଖିଛି ବାସ ନୀର ହେ । ୨ ।

ଅମୃତପାଣି କଦଳୀ ଲବଣୀ ସଙ୍ଗତେ ଗୋଳି
ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ । ୩ ।

ଉଠ ରାମ ବାସୁଦେବ ଗୋଗୋଷ୍ଠେ ଉଛୁର ହେବ
ଦଧି ଅନ୍ନ ସାଥେ ନେବ ନଦୀ କୂଳେ କରିବ ଆହାର ହେ । ୪ ।

ବାଛୁରୀ ଚରାଇ ଯାଇ କାଲି ପଥ ଶ୍ରମ ପାଇ
ଅଳସଇ ଅଛୁ ଶୋଇ ଅଶକତ ହୁଏ କି ଶରୀର ହେ । ୫ ।

ସିଂହ ଦ୍ୱାରେ ଗୋପ ସୁତ ଡାକନ୍ତି ଉଠ ଅଚ୍ୟୁତ
କେତେ ନିଦ୍ରା ଯାଉ ତୁ ତ ଆକାଶେ ଉଦୟ ଦିନକର ହେ । ୬ ।

ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର
ବନକୁ ଗମନ କର ବନମାଳୀ ଚରଣେ କିଙ୍କର ହେ । ୭ ।