(ବନମାଳୀ— ରାଗ ତୋଡ଼ି, ତାଳ ଆଠତାଳି)
ଏଣିକି ଆଉ ନ ପାରେ ସହି
ଦୁଃଖେ ପ୍ରିୟ ସହୀ ଲୋଟଇ ମହୀ । ଘୋଷା ।
ଏ ଜୀବନ ଧନ ଯେଉଁ ଜୀବନ
ଦୂରେ ରଖି କେହି ବଞ୍ଚିବ ଦିନ । ୧ ।
ଆହା ବୋଲିବାକୁ ନାହିଁ କେ ସାହା
ସଞ୍ଚିଥିବ କୁହା ଲୋତକ ବୁହା । ୨ ।
ଆଜନମ ସୁଖୀ ନବ ଛଇଳା
ମୋହ ଲାଗି କେତେ ଦୁଃଖ ସହିଲା । ୩ ।
ଲାବଣ୍ୟ ପିତ୍ତୁଳା ପ୍ରେମ ସୁଆଗୀ
ମୋର ଲାଗି ସବୁ ସୁଖ ତିଆଗୀ । ୪ ।
ନାଚଇ ନୟନେ ଅନବରତେ
ତା ମୋହିନୀ ଛବି ଅତି ଆରତେ । ୫ ।
ରଖିଲାଣି ମନ ତାର ଧିଆନେ
ସହିଲାଣି ଦେହ କୁସୁମ ବାଣେ । ୬ ।
ବନମାଳୀ ବୋଲେ ନନ୍ଦନନ୍ଦନ
ଗୋପେ ଚଳ ରାଧା ହୃଦ ଚନ୍ଦନ । ୭ ।