Ekale Ja Prananatha Bidese Rahile Go

(Banamali— Raga Nalinigouda, Tala Jhula)
(ବନମାଳୀ— ରାଗ ନଳିନୀଗୌଡ଼ା, ତାଳ ଝୁଲା)

ଏକାଳେ ଯା ପ୍ରାଣନାଥ ବିଦେଶେ ରହିଲେ ଗୋ
ଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ । ଘୋଷା ।
ଅବଧି ଦିନ ତ ବଳି ଗଲାଣି ପରାଣ ଆଳି
ବିଷମ କାମ ଅନଳେ ମୋ ହୃଦ ଦହିଲେ ଗୋ । ୧ ।
ପୁରୁଷ ଜାତି ଭ୍ରମର ପରାଏ ରୀତି ତାଙ୍କର
ଯାହା ହୁଏ ମନ ତାହା କି ହେବ କହିଲେ ଗୋ । ୨ ।
କରିଥିଲେ ଗଳାହାର ଏବେ କଲେ ଅନାଦର
କେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ । ୩ ।
ଗୀତେ କହେ ବନମାଳୀ ପୂର୍ବ ଭାବ ଦେଲେ ଟାଳି
ଏହା ହେବ ବୋଲି ଜାଣି ନ ଥିଲି ପହିଲେ ଗୋ । ୪ ।