(ବନମାଳୀ— ରାଗ ସାବେରୀ, ତାଳ ଯତି)
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ
ଶ୍ରୀରଙ୍ଗା ଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ । ଘୋଷା ।
ଦାନା କନା ପଛେ ମନା ହେଉ ମୋତେ
ନୀଳଚକ୍ର ବାନା ଚାହିଁ
ସୁଖୀ ହେଉଥିବି ଅଖିଳପତି ହେ
ନିର୍ଦ୍ଦୟ ହୋଇବ ନାହିଁ । ୧ ।
ବାର ମାସେ ତେର ଯାତ୍ରା ଦେଖୁଥିବି
ଶ୍ରୀକ୍ଷେତ୍ରେ ହୋଇ ଭିକାରୀ
ସାଧୁ ସନ୍ଥଙ୍କର ବୋଲାଇ କିଙ୍କର
ମାଗୁଥିବି ମଧୁକରୀ । ୨ ।
ଆନନ୍ଦ ବଜାରେ ବୁଲିଣ ମଜ୍ଜାରେ
ଗାଉଥିବେ ତୋର ନାମ
ତୋ ପ୍ରେମ ସାଗରେ ବୁଡ଼ି ଯାଉଥିବି
ବୋଲି ହରେ କୃଷ୍ଣ ରାମ । ୩ ।
ଏଥି ପାଇଁ କୁଳ ମୂଳ ହରାଇଛି
ସାଥୀ କରି ତୋତେ ଏକା
ଦାସ ବନମାଳୀ ଦୋଷ ନ ଧରିବୁ
ଗୋବର୍ଦ୍ଧନ ଗିରିଟେକା । ୪ ।