Kali Jaha Kale Sakhi Nagara Raja

କାଲି ଯାହା କଲେ ସଖୀ ନାଗର ରାଜ
(Banamali— Raga Marua, Tala Athatali)
(ବନମାଳୀ— ରାଗ ମରୁଆ, ତାଳ ଆଠତାଳି)

କାଲି ଯାହା କଲେ ସଖୀ ନାଗର ରାଜ
କହିବାକୁ ବଡ଼ ଲାଜ । ଘୋଷା ।

ଯମୁନା ସ୍ନାହାନେ ଗଲି ଘଷି ମାଜି ହେଉଥିଲି
ଏ କାଳରେ ମିଳିଗଲେ ମୁରଲୀଭୁଜ । ୧ ।

କଦମ୍ବ ମୂଳରେ ଲୁଚି ଦେଖୁଥିଲେ ଆଡ଼େ ଘୁଞ୍ଚି
ଅତରକେ ମୁଁ ନ ଜାଣେ ସେ ଭଙ୍ଗୀବ୍ରଜ । ୨ ।

ସାରି ମୁଁ ସ୍ନାନ ମାଜଣା ଘାଟ ପାଶେ ଜଗଜିଣା
ବାଟ ଓଗାଳି ମାଗିଲେ ଅପୂର୍ବ ଚିଜ । ୩ ।

ବହୁତ ବିନୟ ହେଲି ତାଙ୍କ ଫାନ୍ଦୁ ଉବୁରିଲି
ବୋଲେ ବନମାଳୀ ଏହା ନୁହଇ ବ୍ୟାଜ । ୪ ।