Kahin Se Mora Kisori

କାହିଁ ସେ ମୋର କିଶୋରୀ
(Banamali— Raga Malaba, Tala Ekatali)
(ବନମାଳୀ— ରାଗ ମାଳବ, ତାଳ ଏକତାଳି)

କାହିଁ ସେ ମୋର କିଶୋରୀ
ଯାଏ ମୋ ପରାଣ ଛାଡ଼ି
ମାରଇ ମୋତେ ଶମ୍ବରାରି । ଘୋଷା ।

ନୟନ ମୋ ପିପାସିର
ଖୋଜେ ତାକୁ ଅବିରତ
ଦେଖୁ ଦେଖୁ ଗୋଟିଯାକ
ପିଇଦେବିକି ରୂପ ମାଧୁରୀ । ୧ ।

ହୃଦରୁ ଉଠେ ଉଚ୍ଛ୍ୱାସ
ଘନ ଘନ ବହେ ଶ୍ୱାସ
ଲୋଡ଼େ ଏକା ତା ସଙ୍ଗତି
ଆହା ସେ ରାଜକୁମାରୀ । ୨ ।

ପାଇଲେ ତାର ଶ୍ରୀଅଙ୍ଗ
ଯୋଡ଼ିଦେବି ମୋର ଅଙ୍ଗ
କିବା କରିବ ଅନଙ୍ଗ
ଧରାଇ ବିରହ ବାଂଶରୀ । ୩ ।

ବନମାଳୀ ଦାସ ଭଣି
ଶୁଣ ହେ ମୁରଲୀପାଣି
ତୁମ୍ଭ ଲାଗି ଠାକୁରାଣୀ
ବସିଛନ୍ତି ଧ୍ୟାନ କରି । ୪ ।