(ଗୌରଚରଣ— ରାଗ କୋଳାହଳ, ତାଳ ଝୁଲା)
କୋଳି କେ ନେବରେ ବହନ ହୋଇଣ ଆସ
ବୃନ୍ଦାବନ କୋଳି ଅମୃତରୁ ସ୍ୱାଦ
କର୍ପୂରକୁ ଜିଣି ବାସ । ଘୋଷା ।
ଯାର ମନ ଧନ ଅଛି ସେ ବହନ
ୟେ ଫଳ ମୂଲାଇ ନିଅ
ଆଗ ପାନ କର କେମନ୍ତେ ମଧୁର
ପଛନ୍ତେ କଉଡ଼ି ଦିଅ ଗୋ । ୧ ।
ଦ୍ରାକ୍ଷା ବୋଲିକରି ଏକ ଫଳ ଅଛି
ତା ଠାରୁ ମଧୁର ନାହିଁ
ଦମ୍ଭ ମତି ତେଜି ଦାସୀ ଭାବ ହେଲେ
ସେ ଫଳର ସ୍ୱାଦୁ ପାଇ ଗୋ । ୨ ।
ଆବର ନାରଙ୍ଗ ଆଣିଛି ସୁରଙ୍ଗ
ସେ ବଡ଼ ଶୀତଳ ରସ
ନାମ ହେଜି ମଜ୍ଜି ପାନ କରିଥିଲେ
କ୍ଷୁଧା ତୃଷା ଯିବ ନାଶ ଗୋ । ୩ ।
କରମଙ୍ଗା ବୋଲି ଏକ ଫଳ ଅଛି
ସେ ଫଳର ତିନି ଅଂଶା
ତାକୁ ଖାଇଥିଲେ ତ୍ରିତାପ ତୁଟଇ
ଆବର ନ ଥାଇ ହିଂସା ଗୋ । ୪ ।
ଅଛି ନରକୋଳି ସୁସଞ୍ଚ ଖଜୁରୀ
ବେତକୋଳି ବଡ଼ ମିଠା
ଲେଖନ କୋଳିର ଏତିକି ଲକ୍ଷଣ
ଅଳପ ଲାଗଇ ଖଟା ଗୋ । ୫ ।
କଦଳୀ ସ୍ତରୁଣା କପିତ୍ଥ କାନ୍ଧିଆ
କମଳା ଏ ପଞ୍ଚଫଳ
ସବୁ ରୂପ ରସ ସ୍ପର୍ଶ ଗନ୍ଧ ମିଶି
ପଞ୍ଚରସ ଯାକ ଠୂଳ ଗୋ । ୬ ।
କୁଟିଳ କପଟ ବିଷୟ ଲମ୍ପଟ
ଛାଡ଼ି ଏ ଫଳକୁ ଭକ୍ଷ
ଶ୍ରୀକୃଷ୍ଣ କୃପାରୁ ଅବଶ୍ୟ ଲଭିବ
ଧର୍ମ ଅର୍ଥ କାମ ମୋକ୍ଷ ଗୋ । ୭ ।
ଯେବେ ବ୍ୟାଧିମନ୍ତ କରିବ ବାଞ୍ଛିତ
ଆରୋଗ୍ୟ ହୋଇବ ତନୁ
ଦରିଦ୍ରକୁ ଧନୀ ମୂର୍ଖକୁ ପଣ୍ଡିତ
କରିବେ କାଳିଆ କାହ୍ନୁ ଗୋ । ୮ ।
ନାରୀମାନେ ଯେବେ ଏ ଫଳ ଚାଖିବେ
କୃଷ୍ଣେ ହେବେ ଅନୁରାଗୀ
ଧନବତୀ ପୁତ୍ରବତୀ ସୁଲକ୍ଷଣୀ
ସଦା ସ୍ୱାମୀ ସଉଭାଗୀ ଗୋ । ୯ ।
ଆଗୋ ଗୋପ ଗୋପୀ ତୁମ୍ଭେ ବଡ଼ ତପୀ
ଏ ଫଳକୁ ଚାଖିଥାଅ
ମନୋରଥ ପୂର୍ଣ୍ଣ ହୋଇବ ବହନ
କଦମ୍ବ ମୂଳକୁ ଯାଅ ଗୋ । ୧୦ ।
ଗଉରଚରଣ ଏ ଅନୁସରଣ
କରିଛି ବ୍ରଜକୁ ଯିବ
ଦ୍ୱାରେ ଦ୍ୱାରେ ଫେରି ମାଗି ମଧୁକରୀ
କୁଣ୍ଡ ତୀରେ ପଡ଼ିଥିବ । ୧୧ ।