Asa Asa Mora Saraga Tara Lo

ଆସ ଆସ ଆସ ମୋର ସରଗ ତରା ଲୋ
(Kabichandra Kali Charan)
(କବିଚନ୍ଦ୍ର କାଳୀଚରଣ)

ଆସ ଆସ ଆସ ମୋର ସରଗ ତରା ଲୋ
ଅନା ଅନା କାଳିଆର ରଥଯାତରା ଲୋ । ଘୋଷା ।
ପଡ଼ିଛି ଆଜି ବନ୍ଧା ଅଣ୍ଟାଦଉଡ଼ି ଛନ୍ଦା
ବାଈଶିପାହାଚେ ଲାଗେ ଭିଡ଼ାଓଟରା ଲୋ । ୧ ।
ଝୁଲିଝୁଲି ଆସୁଛି ଛେଚାକଚା ଖାଉଛି
କି ସୁନ୍ଦର ଦିଶେ ମଥା ଟାହିଆଝରା ଲୋ । ୨ ।
ରଥ ଷୋଳଚକିଆ ନନ୍ଦିଘୋଷକୁ ଚାହାଁ
ପତିତ ଉଦ୍ଧାର ପାଇଁ ବିଜୟ ପରା ଲୋ । ୩ ।
ପୁରୀ ଠାକୁର ରଜା ଆସନ୍ତି ବାଜେ ବାଜା
ସାରୁଛନ୍ତି ରଥ ପରେ ଛେରାପହଁରା ଲୋ । ୪ ।