Bada Mayabi Jiba Nuhe Kahari

ବଡ଼ ମାୟାବୀ ଜୀବ ନୋହେ କାହାରି
(JasobantaKhemata)
(ଯଶୋବନ୍ତଖେମଟା)

ବଡ଼ ମାୟାବୀ ଜୀବ ନୋହେ କାହାରି
ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି । ଘୋଷା ।

ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ୱିତୀୟ ମାସେ ତୁ ଯେ ଜଳେ ଯେସନ ମୀନ
ତୃତୀୟ ମାସେ ତୁ ଯେ ଶୂନ୍ୟେ ମେଲିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି । ୧ ।

ପଞ୍ଚମେ ନାଭି କମଳ କଲା ଭିଆଣ
ଷଷ୍ଠରେ ବାସ୍ତରୀ ନାଡ଼ି ଖଞ୍ଜିଲା ଜାଣ ।
ସପ୍ତମେ ନାସା ଜ୍ୱିହା ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୂଲତା କାମ କମାଣରେ ନିର୍ମାଣ
ଗଙ୍ଗା ଜମୁନା ନଦୀ ବହଇ ଅନୁକ୍ଷଣ
ଆପେ ମନକୁ କଲା ବିଚାରି । ୨ ।

ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
ନବ ମାସେ ଚମଡ଼ାକୁ ଢାଙ୍କୁଣି ଦେଲା ।
ଦଶ ମାସରେ ଶେଷ କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ ମୁହିଁ କରିବି ବାସ
ତୋ ନାମ ଗାଉଥିବି ସୁମରି । ୩ ।

ଯେଉଁ ବିନ୍ଧାଣୀ ତୋତେଟି କଲା ନିର୍ମାଣ
ସେହି ତୋ ଦେହେ ରହିଲା ଏହା ତୁ ଜାଣ ।
ରଖିଣ ଦଶବାଟ ଲଗାଇଲା କବାଟ
ସୁଷୁମୁନା ଦୁଆରେ ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ ମାୟାକୁ ତୁହି କାଟ
ଗୁରୁ ସେବିଣ ଦେଖ ଶ୍ରୀହରି ।୪।

ଜନମ ହୋଇ ପଡିଲୁ ମର୍ତ୍ତ୍ୟମଣ୍ଡଳ
କୁଆଁ ବୋଲନ୍ତେ ସବୁ ଗଲା ପାଶୋର ।
ଅନ୍ତୁଡ଼ିଶାଳେ ରହି ହରି ଭଜିଲୁ ନାହିଁ
ପାଞ୍ଚ ବରଷ ଗଲା ବାଳ ଭାବରେ ବହି
ବାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
ତେବେ ନ ବୋଲୁ ମୁଖେ ଶ୍ରୀହରି ।୫।

ପନ୍ଦର ବରଷେ ହେଲୁ ଅମରମତା
କୋଡ଼ିଏ ବରଷେ କଲୁ କାମିନୀ ଚିନ୍ତା ।
କାମିନୀ ସଙ୍ଗେ ରହି ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର ଯୁବା ବୟସ ବହି
ହରି କଥାକୁ ଦିନେ ମନ ନ କଲୁ ତୁହି
ହେବୁ କେମନ୍ତେ ଏ ଭବୁ ପାରି ।୬।

ବୃଦ୍ଧ ବୟସ ଯେ ଏବେ ହେଲା ତୋହରି
ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ ।
କହଇ ଯଶୋବନ୍ତ ଗୁରୁଙ୍କୁ ସେବା କର
ସେ ନାମ ଧରି ହୃଦେ ଭବୁ ହୋଇବୁ ପାର
ପୂର୍ବ ଜନ୍ମ କଳୁଷ ଚିତ୍ତରୁ ହେବ ଦୂର
ବସିବୁ ବଇକୁଣ୍ଠ ଆବୋରି ।୭।