(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଯତି)
ବାଳାବର ରେ
ଶଙ୍ଖକଣ୍ଠି ତୁ ସଙ୍ଖାଳି ମୋର ରେ ।
ନ ଥାଇ ତୁ କୋଳେ କି ସମ୍ପତ୍ତି ବଳେ
ଇନ୍ଦ୍ର ହେଲେ ସୁରେଶ୍ଵର ରେ । ଘୋଷା ।
ଚନ୍ଦ୍ରମା ଚନ୍ଦନ କଳକଣ୍ଠ ସ୍ବନ
ମିଳିନ୍ଦବୃନ୍ଦ ଝଙ୍କାର ରେ
ଏବେ ମୁଁ କଟାକ୍ଷ ଫିଙ୍ଗୁ ନାହିଁ ପକ୍ଷ
ହେବାରୁ ତୁ ସହକାର ରେ । ୧ ।
ସୁରଭି ଋତୁର ମରୁତ ମରୁ ତ
ଜୀଉ ତ ସେ ମୋ କିଙ୍କର ରେ
ତରୁଣୀ ତୋତେ ମୋ ଧନ କଲେ ଯହୁଁ
କରୁଣାନିଧି ଶଙ୍କର ରେ । ୨ ।
ଅସୁର ସୁରଙ୍କ ରମ୍ୟ ଦ୍ରବ୍ୟ ରଙ୍କ
-ପଣ ଶୁଣି ସିନ୍ଧୁ ଜୂର ରେ
ମୋ ପାଇଁ ତୁ ଲୁକି ଯତନେ ଥିଲୁ କି
ଲାବଣ୍ୟ ପୀୟୂଷପୂର ରେ । ୩ ।
ସୁଲକ୍ଷଣ ବଧୂମାନଙ୍କର ମଧୁ
ଥାଏ ଜାଣି ରଦାମ୍ବରରେ
ପୂରିଅଛି ତୋର ପ୍ରପଦୁଁ ଚିକୁର
ପାଶ ଯାଏ ସୁଧାଝର ରେ । ୪ ।
ଫୁଲା ମନମଥ ଗୁଲାମରୁ ମୋର
ଏଣିକି ଆଉ କି ଡର ରେ
ଝୁଲା ମଞ୍ଜୁଳ ତୋ ଲଲାମ ଛବିକି
ସଲାମ ସହସ୍ରେ ଥର ରେ । ୫।
ଏପରି ପ୍ରଶଂସାମୃତ ସ୍ଫୁରୁ କଂସା
-ହିତ ମୁଖ ଶଶଧରରେ
ଅଷ୍ଟଦୁର୍ଗପତି ରଚିଲେ ଶ୍ରୀମତୀ
ସଙ୍କୁଚିଲେ ଲଜ୍ଜାଭରରେ । ୬ ।