Parana Chhara Ki Loda

ପରାଣ ଛାର କି ଲୋଡ଼ା
(Kabisurjya— Raga Arabhi, Tala Jati)
(କବିସୂର୍ଯ୍ୟ— ରାଗ ଆରଭୀ, ତାଳ ଯତି)

ପରାଣ ଛାର କି ଲୋଡ଼ା ରେ ସଙ୍ଗାତ
ପ୍ରିୟଜନ ପ୍ରୀତି ପୀୟୂଷରୁ ଅତି
ହୁଅଇ ଯେବେ ଖଦଡ଼ା । ଘୋଷା ।

ପାଶୋରେ ହୃଦୟ ଭିତରୁ ସଦୟ
ପଣ ପରମ ମୁହାଁସ
ପେଟ ଯାକେ ପୂରିଥିବ ଯେବେ କୂଟ
ମୁଖେ ଥିବ ମନ୍ଦ ହାସ । ୧ ।

ଛଳ ପୂର୍ଣ୍ଣ କରି ମୃଦୁ ବାଣୀ ଝରି
ବିରହୀ ହୃଦେ ଢାଳିବା
ନିଦାଘେ ତାପିତ ବନ ଲତା ହିତ
ହାତଟେକା ଜଳ କିବା । ୨ ।

ପ୍ରଣୟ ପରୀକ୍ଷା କରି ଲକ୍ଷ ଲକ୍ଷ
ସବୁ ବୁଝି ଅନୁଭବେ
ପ୍ରୀତି ଠାରୁ ବଡ଼ କେହି ନାହିଁ ବୋଲି
ବିବେଚନା ନାହିଁ ଯେବେ । ୩ ।

କବି ଦିନକର ରାୟଗୁରୁ ବୋଲେ
ଏବେ ସବୁ ଜଣାଗଲା
ପକାଇ ପବିତ୍ର ସ୍ଥଳେ ସ୍ଥଳଗାତ୍ର
ପରମ ପଦକୁ ଚଳା । ୪ ।