Ki Laja Paili Aja Re Bandhabi

କି ଲାଜ ପାଇଲି ଆଜ ରେ ବାନ୍ଧବୀ
(BanamaliKhemata)
(ବନମାଳୀଖେମଟା)

କି ଲାଜ ପାଇଲି ଆଜ ରେ ବାନ୍ଧବୀ
କି ଲାଜ ପାଇଲି ଆଜ
ଉରେ ଚିର ଦେଇ ତର ନ ସହଇ
ଆଗରେ ନାଗର ରାଜ ରେ । ଘୋଷା ।

ଚଉଦିଗେ ଚାହିଁ କେଣେ କେହି ନାହିଁ
ନିଛାଟ ଘାଟକୁ ଗଲି
ଅଙ୍ଗରେ କୁଙ୍କୁମ ବୋଳି ହେଉଥିଲି
ଉତ୍ତାର ଅମ୍ବର ଚେଳି ରେ । ୧ ।

ପାଣି ପଲ୍ଲବରେ ଘୋଡ଼ଣା ନ ଯାଇ
ବର୍ତ୍ତୁଳତର ଉରଜ
ଯେତେ ଯତ୍ନ କଲେ ମହା ମହୀଧର
ଢାଙ୍କଇ ନିକି ସରୋଜ ରେ । ୨ ।

ପାଖେ ଘୋଡ଼ାଇଲେ ଆର ପାଖ ଦିଶେ
ଉପାୟ କିଛି ନ ଦିଶେ
ମୁଖ ଅବନତ କଲେ ସେ ଉନ୍ନତ
ପୟୋଧର ବେନି ଠେସେ ରେ । ୩ ।

କୁନ୍ତଳ ଉହାଡ଼ି ରଖନ୍ତି ମୁଁ ଅବା
ବାନ୍ଧିଥିଲି ବେଣୀ ଟେକି
ବୋଲେ ବନମାଳୀ ଶୁଣ ଠାକୁରାଣୀ
ଜଳେ ଲୁଚିଥାନ୍ତ ଟିକି । ୪ ।