(ହନୁମାନ କବିଚନ୍ଦ୍ର— ଯତି)
ରେ ମୁରଲୀ
କେଡ଼େ ଦାରୁଣ ପଣ ତୁ କଲୁ ଭାଳି । ଘୋଷା ।
ପତି ସୁତ କୋଳରୁ ଅନ୍ତର
କରାଇ ଆଣିଲୁ ଏ ବନ ଘୋର
ଏ ଜାତି ନିଷ୍ଠୁର ନିର୍ଦ୍ଦୟା ଯା କଲୁ
ଧିକ ଧିକ ହେଉ ତୋର ଶରୀର । ୧ ।
ଜାତି କୁଳ ଆମ୍ଭର ତୁହି ନେଇ
ମରମକୁ କିମ୍ପା ଅଛୁ ଦହି
ଗୋପାଙ୍ଗନାର ନିଃଶ୍ୱାସେ ଅବଶ୍ୟ
ନାଶ ହୋଇବୁ ସତେ ଥିଲେ ବିହି । ୨ ।
ସହଜେ ତ ବାଂଶ ଜାତ ତୋର
କଣ୍ଟକାଦି ବହୁତ ୟେ ଅଙ୍ଗର
ଅଦ୍ଧ ବରାଟିକା ମୂଲ୍ୟ ନୋହିବୁ ତୁ
କିମ୍ପା ବହିଅଛୁ ୟେ ନାଗର । ୩ ।
କାଳ ସର୍ପର ଯେତେକ ଗୁଣ
ଧରି ଅଛି ତୋ ହୃଦୟ ଜାଣ
ନୋହିଲେ କିମ୍ପାଇଁ ୟେ ଅବଳା କୁଳ
କରମେ ଘାରନ୍ତା ତୋର ସ୍ୱନ । ୪ ।
ସାଜି କରି ତୋତେ ଏ ମୋହନ
କହିଥିଲେ ଯେତେକ କଥାମାନ
ବାରେ ହେଲେ ନ କହିଲୁ ତୁ ଶ୍ୟାମେ
ଅବଶ୍ୟ ହେବୁ ତୁରେ ଉଚ୍ଛନ୍ନ । ୫ ।
କେ ବୋଲେ ନୀରସଠାରୁ ଜାତ
ନିରାଶ ହୃଦୟେ ବହିଛି ତ
ନିରାଶ କରି କହିବାର କିମ୍ପାଇଁ
ନୋହିବ ୟେ ପାପିଷ୍ଠ ଚିତ୍ତ । ୬ ।
ନିର୍ଲ୍ଲଜ୍ଜ ସ୍ୱଭାବ ନୋହିଥିଲେ
ଡାକନ୍ତା କିମ୍ପା ୟେ ରାତ୍ରି କାଳେ
ଛିଦ୍ର ରନ୍ଧ୍ରେ ପରିପୂର୍ଣ୍ଣ ହୁଏ ଯେ ତନୁ
ଛିଦ୍ର ଲାଗେ ୟେ ଆମ୍ଭର କୁଳେ । ୭ ।
କେବେ ହେଲେ ଏ ଦିନେ ପଡ଼ିଲେ
ବୁଡ଼ାଇବା ନିଶ୍ଚେ ଯମୁନା ଜଳେ
ବିରହ ବିକଳେ ବଂଶୀନିନ୍ଦା ଗୋପୀ
ବ୍ୟାଜେ ହନୁମାନ ଦାସ ବୋଲେ । ୮ ।