(ଗୋପାଳକୃଷ୍ଣ— ଖେମଟା)
ରାଧା ପଚାରନ୍ତି ସଙ୍ଗାତରେ
କେ ସେ ବ୍ରଜରାଜ ସୁତ ?
ଲଳିତା କହନ୍ତି ମିତଣିରେ
ମୋହ ହୋଇଗଲୁ ସେ ଦିନ ଶୁଣି ତୁ
ଯାହାର ମୂରଲୀ ଗୀତରେ । ପ୍ରାଣମିତ ।୧।
ରାଧା – କି ନାମ ବୋଇଲୁ ତୁହି ଗୋ ଲଳିତେ
ଲଳିତା – ପୁଣି ଶୁଣିବାକୁ ଚିତ୍ତ ବଳିଲା କି
କୃଷ୍ଣ ବୋଲି ଥିଲି କହିରେ । ପ୍ରାଣମିତ ।୨।
ରାଧା – କେ ଚିତ୍ରପଟର ଯୁବା ?
ଲଳିତା – କୃଷ୍ଣ ବୈଣବିକ ଚିତ୍ର ତିନିଯାକ
ଏଇ ତରୁଣ ମଘବାରେ । ପ୍ରାଣମିତ ।୩।
ରାଧା – ବୟସ କେତେ ତାଙ୍କର ?
ଲଳିତା – ନବ ତରୁଣିମା ଅବସ୍ଥା ବୟସ
ହୋଇଥିବ ବାର ତେରରେ । ପ୍ରାଣମିତ ।୪।
ରାଧା – କେଡ଼େ ଭଳି ଉଚ୍ଚ ହେବେ ?
ଲଳିତା – ତୁ ତାଙ୍କ ଶ୍ରୁତିତଟକୁ ସରି ହେବୁ
ଅନୁମାନୁଛି ମୁଁ ଏବେ ରେ । ପ୍ରାଣମିତ ।୫।
ରାଧା – ବିବାହ ହୋଇଲେନି କି ?
ଲଳିତା – ବଧୂ ସଧେ ହାତ ଭାଙ୍ଗି ହେଉଛନ୍ତି
ଯଶୋଦା ତୋତେ ବିଲୋକିରେ । ପ୍ରାଣମିତ ।୬।
ରାଧା – ମୋ ଆଡ଼କୁ କେଣେ ଢାଳୁ
ଲଳିତା – ଯଥାଯୋଗ୍ୟ ବୋଲି ମନ ଲୋଭାଇଲା
କଥାକୁ କାହିଁକି ଛଳୁରେ । ପ୍ରାଣମିତ ।୭।
ରାଧା – ଏହି ଗୋପରେ କି ବାସ ?
ଲଳିତା – ଆମ୍ଭ ଅଟ୍ଟାଳି ଆରୋହିଲେ ଦିଶୁଛି
ତାଙ୍କ ସଉଧ କଳଶରେ । ପ୍ରାଣମିତ ।୮।
ରାଧା – ଶ୍ରୀଅଙ୍ଗ କାନ୍ତି କିପରି ?
ଲଳିତା – ମଜା ଇନ୍ଦ୍ର ନୀଳମଣି ଦରପଣ
ପରି ଦିଶୁଛି ମାଧୁରୀରେ । ପ୍ରାଣମିତ ।୯।
ରାଧା – କୃଶ ନା ପୁଥୁଳ ତନୁ ?
ଲଳିତା – ଦେଖାଇ ଦେବି ରହିଥାଅ ଆସିବେ
ଏବେ ତ ଲେଉଟି ବନୁରେ । ପ୍ରାଣମିତ ।୧୦।
ରାଧା – ମୁଖ ସୁଷମା କେମନ୍ତ ?
ଲଳିତା – ଲାବଣ୍ୟାମ୍ବୁଧିସମ୍ଭବ ବିଧୁ ପରି
ଅଳକାବଳି ଆବୃତରେ । ପ୍ରାଣମିତ ।୧୧।
ରାଧା – ଚିକୁର ଓଘ ମଞ୍ଜୁଳ ?
ଲଳିତା – କାଳିନ୍ଦୀ ଜଳ କଲ୍ଲୋଳ ପରି ଦିଶେ
କଳାକୁ ଉଣା କଜ୍ଜ୍ୱଳରେ । ପ୍ରାଣମିତ ।୧୨।
ରାଧା – ଲଲାଟପଟର ଝଳି ?
ଲଳିତା – ତିଳକ ଘେନି ହେବା ଚାହିଁ ରମାର
ଧୃତିମେରୁ ଯିବ ଟଳିରେ । ପ୍ରାଣମିତ ।୧୩।
ରାଧା – ଘେନିବାର କି ତିଳକ ?
ଲଳିତା – ଚନ୍ଦନ ବିନ୍ଦୁ କେବେ ଗୋରଚନାର
ଚିତା ଯେମନ୍ତ ସାୟକରେ । ପ୍ରାଣମିତ ।୧୪।
ରାଧା – ଭୂରୁ ବିଳାସ କୀଦୃଶ ?
ଲଳିତା – କଳା ଭୁଜଙ୍ଗ ଶାବକ ଖେଳା ପରି
ସ୍ୱଚ୍ଛେ ହୋଇଛି ପ୍ରକାଶରେ । ପ୍ରାଣମିତ ।୧୫।
ରାଧା – ହୋଇଛି ସେ କି ଆକୃତି ?
ଲଳିତା – ପରଶୁ ଭଗ୍ନ କୋଦଣ୍ଡ ବେନି ଖଞ୍ଜା
ହୋଇଛି ତ ସ୍ଫୂର୍ତ୍ତିରେ । ପ୍ରାଣମିତ ।୧୬।
ରାଧା – ଭାଷ ଈକ୍ଷଣର ରୀତି ?
ଲଳିତା – ଦର କଷାୟିତ ହୋଇ ଆଘୂର୍ଣ୍ଣିତ
ଶ୍ରୁତିତଟ ଯାଏ ଗତିରେ । ପ୍ରାଣମିତ ।୧୭।
ରାଧା – କିପରି ଚାହାଣୀ ଆଣି ?
ଲଳିତା – ପ୍ରମତ୍ତ ନଟ ଖଞ୍ଜରୀଟ ଶୋଭାକୁ
ଈଷିତିରେ ଦେବ ଜିଣିରେ । ପ୍ରାଣମିତ ।୧୮।
ରାଧା – କଟାକ୍ଷ ପ୍ରାନ୍ତ କେମନ୍ତ ?
ଲଳିତା – ଜଗଜ୍ଜୟ ମନମଥର ନିଶିତ
ବରିଛ ମୁନ ଯେମନ୍ତରେ । ପ୍ରାଣମିତ ।୧୯।
ରାଧା – ନାସାର ସଉଷ୍ଠବତା ?
ଲଳିତା – ତୁଚ୍ଛ ତିଳଫୁଲ କି ତୁଳନା ହେବ
ଗଢ଼ିବ ନାହିଁ ବିଧାତାରେ । ପ୍ରାଣମିତ ।୨୦।
ରାଧା – କି ଭୂଷା ନାସାପୁଟରେ ?
ଲଳିତା – ମୁକୁତା ବସଣୀ ରୋହିଣୀ ପରାଏ
ଶୋଭୁଅଛି ମୁଖଚନ୍ଦ୍ରରେ । ପ୍ରାଣମିତ ।୨୧।
ରାଧା – ଗଣ୍ଡମଣ୍ଡଳର ଦ୍ୟୁତି ?
ଲଳିତା – ସ୍ମର ତମହର ଯୁବତୀ ସୃଷ୍ଟିର
ଖଣ୍ଡ ଚନ୍ଦ୍ରପରି କାନ୍ତିରେ । ପ୍ରାଣମିତ ।୨୨।
ରାଧା – ଶ୍ରବଣ କାହା ସଦୃଶ ?
ଲଳିତା – ଜନ-ମନ-ମୃଗ ବନ୍ଦୀ କରିବାକୁ
ମଦନ ଫାନ୍ଦିଛି ପାଶରେ । ପ୍ରାଣମିତ ।୨୩।
ରାଧା – ଅଛି କି କି ଆଭରଣ ?
ଲଳିତା – ମକରାକୃତି ନବରତ୍ନ କୁଣ୍ଡଳ
ମିହିର ଦର୍ପ ଦାରଣରେ । ପ୍ରାଣମିତ ।୨୪।
ରାଧା – କି ଭୂଷା ଏଥି ଉପରେ ?
ଲଳିତା – ହୀରା ଗୁଣା ବର ମୁକୁତା ଝାଲର
ଝଲକା ବାମ କର୍ଣ୍ଣରେ । ପ୍ରାଣମିତ ।୨୫।
ରାଧା – ଓଷ୍ଠ ଦେଶର ଶୋଭନ ?
ଲଳିତା – କାହାପରି ବୋଲି ଜଣାଇବି ଜବା
ବଧୂଲି ଅତି ନିଊନରେ । ପ୍ରାଣମିତ ।୨୬।
ରାଧା – ଦଶନ ପନ୍ତି ସୁଷମା ?
ଲଳିତା – କର୍ପୂର ମଜା ମାଣିକ୍ୟ ଆବଳୀର
ଛଡ଼ାଇଦେବ ଗାରିମାରେ । ପ୍ରାଣମିତ ।୨୭।
ରାଧା – ଚିବୁକର ସୁମାଧାରୀ ?
ଲଳିତା – ଶୁଦ୍ଧ ଚତୁର୍ଥୀ ସୁଧାଂଶୁ ପରି ଦିଶେ
ଚାହିଁଦେଲେ ଝଟକରିରେ । ପ୍ରାଣମିତ ।୨୮।
ରାଧା – କଣ୍ଠଦେଶ ରମଣୀୟ ?
ଲଳିତା – ହରିକର ଦରାକୃତି ରେଖାତ୍ରୟ
ଯୁବତୀ ସୃଷ୍ଟିର ଧ୍ୟେୟରେ । ପ୍ରାଣମିତ ।୨୯।
ରାଧା – କି କି ଅଳଙ୍କାର ଅଛି ?
ଲଳିତା – ରତ୍ନ ଚାପସରି ହେମର ନିଆଳୀ
ସୁତା ପଦକ ଲାଗିଛିରେ । ପ୍ରାଣମିତ ।୩୦।
ରାଧା – କୀଦୃଶ ବାହୁ ଯୁଗଳ ?
ଲଳିତା – କରୀକରାକୃତି ପ୍ରେମରତ୍ନ କୋଷ
ହୃଦ କବାଟ ଅର୍ଗଳରେ । ପ୍ରାଣମିତ ।୩୧।
ରାଧା – ଅଛିଟି କି ଅଳଙ୍କାର ?
ଲଳିତା – ଦିବ୍ୟରତ୍ନ ବାଜୁବନ୍ଧ ଅଙ୍ଗଦରେ
ଭୂଷଣ ହୋଇଛି କରରେ । ପ୍ରାଣମିତ ।୩୨।
ରାଧା – କମନୀୟ ଅଙ୍ଗୁଳିର ?
ଲଳିତା – ଚମ୍ପକ କଳିତା ଆକୃତି ରତନ
ମୁଦ୍ରିକାରେ ମନୋହରରେ । ପ୍ରାଣମିତ ।୩୩।
ରାଧା – କାନ୍ତି ସେ କରରୁହର ?
ଲଳିତା – ହୀରା ପରାଏ ଜ୍ୟୋତି ଧୀରା ଧୀରାର
ବିବେକ ବନ କୁଠାରରେ । ପ୍ରାଣମିତ ।୩୪।
ରାଧା – କିପରି ହୃଦୟସ୍ଥଳୀ ?
ଲଳିତା – ମନମଥ କୁନ୍ଦ-ବସା-ସୁରୁଚିର
ବାସବ ରତନ ଥାଳୀରେ । ପ୍ରାଣମିତ ।୩୫।
ରାଧା – ହୀରାମାନ କି ଅଛି ନା ?
ଲଳିତା – ଥାଉ ହାର, ସୁନାଗାର ପଦଚିହ୍ନ
ଦିଶୁଚି କେଡ଼େ ଭାବନାରେ । ପ୍ରାଣମିତ ।୩୬।
ରାଧା – କିପରି ଦିଶେ ଉଦର ?
ଲଳିତା – ଅତୁଳ ମନ୍ଦ ତୁନ୍ଦ ନନ୍ଦ-ଶ୍ରୀକର
ଲଳିତ ଅତି ସୁନ୍ଦରରେ । ପ୍ରାଣମିତ ।୩୭।
ରାଧା – ଅଙ୍କୁରଲାଣି ରୋମାଳି ?
ଲଳିତା – ନୀଳ ପିପୀଳିକା-ଆବଳୀ ପରାଏ
ଦିଶୁଛି ଅଳପ ଝଳିରେ । ପ୍ରାଣମିତ ।୩୮।
ରାଧା – ମଧ୍ୟ ହେବ କେଡ଼େ କୃଶ ?
ଲଳିତା – ବେଢ଼ ମାପିଦେଲେ କେଶରୀ ପରାଏ
ହେବ ଅଙ୍ଗୁଳି ଦ୍ୱାଦଶରେ । ପ୍ରାଣମିତ ।୩୯।
ରାଧା – ତ୍ରିବଳୀ ନାଭି ଶୋଭନ ?
ଲଳିତା – କାଳିନ୍ଦୀ ଲହରୀ ପ୍ରଫୁଲ୍ଲ ନଳିନୀ
ହୋଇବ ପରା ସମାନରେ । ପ୍ରାଣମିତ ।୪୦।
ରାଧା – କିପରି ଚରମ ଦେଶ ?
ଲଳିତା – କାମର ଶ୍ୟାମଳ ପ୍ରଭା ସମ ଶୋଭା
ଅଭିରାମର ଆଭାସରେ । ପ୍ରାଣମିତ ।୪୧।
ରାଧା – କି ଭୂଷାରେ ଯେ ଶୋଭୁଛି ?
ଲଳିତା – ହାରାମାନଙ୍କର କରି ପାଟଝୁମ୍ପା
ସ୍ତବକମାନ ଲମ୍ୱିଛିରେ । ପ୍ରାଣମିତ ।୪୨।
ରାଧା – କଟି ସୁଷମା କେମନ୍ତ ?
ଲଳିତା – ଅଳପ ବିସ୍ତାର ପୀତବାସ ପରେ
ରତ୍ନମେଖଳା ଖଞ୍ଜିତରେ । ପ୍ରାଣମିତ ।୪୩।
ରାଧା – ଶ୍ରୋଣି ଶୋଭା କି ପ୍ରକାର ?
ଲଳିତା – ନୀଳମଣି ଆଳବାଳ ପରି ଦିଶେ
ତମାଳ ମହୀରୁହରେ । ପ୍ରାଣମିତ ।୪୪।
ରାଧା – ଊରୁ ଯୁଗଳ ଆକାର ?
ଲଳିତା – ଚିକ୍କଣ ପୃଥୁଳ ମନମଥ ଲାସ୍ୟ
ରଙ୍ଗସ୍ଥଳ ପରକାରରେ । ପ୍ରାଣମିତ ।୪୫।
ରାଧା – ଜାନୁଯୁଗ ସଊଷ୍ଠବ ?
ଲଳିତା – ମାଧୁର୍ଯ୍ୟ ଲକ୍ଷ୍ମୀର ରୁଚିର ଆସନ
ନାହିଁ ନଥିଲା ନୋହିବରେ । ପ୍ରାଣମିତ ।୪୬।
ରାଧା – ଚରଣ ସୁନ୍ଦରପଣ ?
ଲଳିତା – କନିଷ୍ଠାଙ୍ଗୁଷ୍ଠି ନଖକୋଣ କାନ୍ତିକି
ସରି ନୋହେ ରଣରଣରେ । ପ୍ରାଣମିତ ।୪୭।
ରାଧା – କି କି ଚିହ୍ନ ତହିଁ ଅଛି ?
ଲଳିତା – ଧ୍ୱଜ ବଜ୍ରାଙ୍କୁଶ ଆଦି ଊନବିଂଶ
ଲକ୍ଷଣ ଯାକ ପୂରିଛିରେ । ପ୍ରାଣମିତ ।୪୮।
ରାଧା – ଅଙ୍ଗୁଳିର ଅଭିରାମ ?
ଲଳିତା – ଅଶୋକ କଳିର ପ୍ରତିନିଧି ବିଧି
ଗଢ଼ିଛି ଜାଣ ଉତ୍ତମରେ । ପ୍ରାଣମିତ ।୪୯।
ରାଧା – କିମ୍ପା କର ନଖ ରୁଚି ?
ଲଳିତା – ଦଶଧା ହୋଇ କୁମୁଦବନ୍ଧୁ ପ୍ରପ
-ଦରେ ଶରଣ ପଶିଛିରେ । ପ୍ରାଣମିତ ।୫୦।
ରାଧା – ଚରଣ ତଳର ବର୍ଣ୍ଣ ?
ଲଳିତା – ଶୋଣ ନିରଜକୁ ନିଉଛାଇ ବିହି
ଫିଙ୍ଗିଛି ପଙ୍କକୁ ଜାଣରେ । ପ୍ରାଣମିତ ।୫୧।
ରାଧା – ଶ୍ରୀଅଙ୍ଗର ପରିମଳ ?
ଲଳିତା – ସୁବାସ ଆସୁଛି ମିଶିଲା ପରାଏ
ମୃଗମଦ ନୀଳୋତ୍ପଳରେ । ପ୍ରାଣମିତ ।୫୨।
ରାଧା – ଥିବ ତ ପରା ନୂପୁର ?
ଲଳିତା – ଚାଲି ଚାତୁଚୀକି ସମ ହୋଇଛି ସେ
ଝୁମୁଝୁମୁ ବାଜିବାର ରେ । ପ୍ରାଣମିତ ।୫୩।
ରାଧା – ଅବୟବର ମାର୍ଦବ ?
ଲଳିତା – ନବନୀତ ମିତ୍ର ପରି ଆଭାସୁଛି
ପରଶିଲେ ଜଣାଯିବରେ । ପ୍ରାଣମିତ ।୫୪।
ରାଧା – ହେଉଛନ୍ତି କି କି ବେଶ ?
ଲଳିତା – ନଟବର ନବ ଶିଖଣ୍ଡ ମୁକୁଟ
ବେଣୀ ଶୋଭେ ପୃଷ୍ଠଦେଶରେ । ପ୍ରାଣମିତ ।୫୫।
ରାଧା – ସଦା ପିନ୍ଧିବାର ବାସ ?
ଲଳିତା – ନୂଆ ହରିତାଳ ଦ୍ୟୁତି ପଟ୍ଟାମ୍ବର
ଲାଗି ହେବାର ବିଶେଷରେ । ପ୍ରାଣମିତ ।୫୬।
ରାଧା – ଶୁଣିଛୁ କି କେବେ ଗିର ?
ଲଳିତା – ନର୍ମ୍ମ ଦରହାସ ମିଶା ନବନୀତ
ମୃଦୁ ସୁଧାରୁ ମଧୁରରେ । ପ୍ରାଣମିତ ।୫୭।
ରାଧା – ଗମନ କାହା ପରିରେ ?
ଲଳିତା – ପୁରନ୍ଦର ଗଜ ପାଇଯିବ ଲାଜ
ପଡ଼ିବ ଯଦି ଆଗରେ । ପ୍ରାଣମିତ ।୫୮।
ରାଧା – କେମନ୍ତଟି ସେ ଜଘାଂଳ ?
ଲଳିତା – ମନରୁ ଜବ ଖେଳରେ କେ ଛୁଇଁ ତ
ପାରୁନାହାନ୍ତି ଗୋପାଳରେ । ପ୍ରାଣମିତ ।୫୯।
ରାଧା – ଦେଖିଛୁ କି ହସିବାର ?
ଲଳିତା – ବିଲୋକିଛି ଚନ୍ଦ୍ରମଣ୍ଡଳୁ ଖସିଲା
ପରାଏ ପୀୟୁଷ ଧାରରେ । ପ୍ରାଣମିତ ।୬୦।
ରାଧା – ଜାଣନ୍ତି କି ସେ ଗାୟନ ?
ଲଳିତା – ଶିଳା ଦ୍ରବୁଛି ସାଧ୍ୱୀର ନୀବିଗ୍ରନ୍ଥି
ହେଉଛି କି ବିମୋଚନରେ । ପ୍ରାଣମିତ ।୬୧।
ରାଧା – ଶୂର ପଣେ ସମର୍ଥ କି ?
ଲଳିତା – କଂସଚାରୀଙ୍କୁ ନାଶିବାର ପ୍ରସଙ୍ଗ
କିଛି ତୁ ଶୁଣିନାହୁଁ କି ରେ । ପ୍ରାଣମିତ ।୬୨।
ରାଧା – ଭାଷ ପ୍ରଭାବ ବଳର ?
ଲଳିତା – ପାଶୋରି ଦେଲୁକି ଅଙ୍ଗୁଳି ଅଗ୍ରରେ
ଗିରିବର ତୋଳିବାରରେ । ପ୍ରାଣମିତ ।୬୩।
ରାଧା – ବୀରପଣେ ପ୍ରବଳ କି ?
ଲଳିତା – କେଶୀକି ମାରି ଆସିବା ଦିନ ବେଶ
ଆଉ ଆଖି ଦେଖିବ କି ରେ । ପ୍ରାଣମିତ ।୬୪।
ରାଧା – ନୃତ୍ୟ ମଧ୍ୟ ଜାଣନ୍ତି କି ?
ଲଳିତା – ଯେ ଦେଖିଛି ତାର ଆଖିର ସୁକୃତ
ଫଳ ପୃଥକ ଅଛି କି ରେ । ପ୍ରାଣମିତ ।୬୫।
ରାଧା – ନର୍ତ୍ତନ କେତେ ବେଳରେ ?
ଲଳିତା – ମୁହିଁ ଦେଖିଛି ସିନା ଧେନୁ ଚରାଇ
ଯିବା ଆସିବା ବେଳରେ । ପ୍ରାଣମିତ ।୬୬।
ରାଧା – ଦିଶୁଛନ୍ତି କି ସଦୃଶ ?
ଲଳିତା – ମୂର୍ତ୍ତିମନ୍ତ ହେଲାପରି ମୁଁ ମଣୁଛି
ନିଶ୍ଚୟ ଶୃଙ୍ଗାର ରସରେ । ପ୍ରାଣମିତ ।୬୭।
ରାଧା – କହ ନାୟକ ଲକ୍ଷଣ ?
ଲଳିତା – ଧୀର ଲଳିତ ପରି ଦିଶେ ବିଗ୍ରହ
ରୂପ ଚିହ୍ନ ଆଚରଣରେ । ପ୍ରାଣମିତ ।୬୮।
ରାଧା – ସ୍ୱଭାବ କର ବର୍ଣ୍ଣନ ?
ଲଳିତା – ସାଧୁ ସୁଧୀର ଅମ୍ୱୁଧିର ଗଭୀର
ପ୍ରଣୟ ଜନ ଅଧୀନରେ । ପ୍ରାଣମିତ ।୬୯।
ରାଧା – କେଣେ ବୋଲାନ୍ତି ମୋହନ ?
ଲଳିତା – ସଂସାର ବାହାର ସରସ ସୁନ୍ଦର
ସ୍ୱରୂପ ନିତ୍ୟ ନୂତନରେ । ପ୍ରାଣମିତ ।୭୦।
ରାଧା – ପ୍ରପନ୍ନେ ଦୟାଳୁ ପଣ ?
ଲଳିତା – ମୁହିଁ ତୋହର ବୋଲୁଛନ୍ତି ପୁଣି ତ
କରି ଆତ୍ମ ସମର୍ପଣରେ । ପ୍ରାଣମିତ ।୭୧।
ରାଧା – ଦେବାର ଅର୍ଥିମାନଙ୍କୁ ?
ଲଳିତା – ଇତର ଜନଙ୍କୁ ମାଗୁନାହିଁ ଆଉ
ମାଗୁଛି ଯେ ଥରେ ତାଙ୍କୁରେ । ପ୍ରାଣମିତ ।୭୨।
ରାଧା – ଅଛି ଆଉ କି କି ଗୁଣ ?
ଲଳିତା – ବିଶ୍ୱସୃକ ସର୍ଜନରେ ଥିବା ବିଦ୍ୟା
ଭାଷା ଯାକରେ ନିପୁଣରେ । ପ୍ରାଣମିତ ।୭୩।
ରାଧା – କେମନ୍ତଟି ବଇଭବ ?
ଲଳିତା – ଯାହାର ଜନକ ବ୍ରଜ ପୁରନ୍ଦର
ମହା ଅଷ୍ଟନିଧି ଧବରେ । ପ୍ରାଣମିତ ।୭୪।
ରାଧା – କରିଛନ୍ତି ସେ କି ବୃତ୍ତି ?
ଲଳିତା – ଧେନୁ ଚରାଇ ଯାଉଛନ୍ତି ବନକୁ
ସହଜେ ଗୋପାଳ ଜାତିରେ । ପ୍ରାଣମିତ ।୭୫।
ରାଧା – କିପରି କୀର୍ତ୍ତି ପ୍ରକାଶ ?
ଲଳିତା – ବିଶ୍ୱ ବିଶୋଧନୀ କଳୁଷ ଶମନୀ
ପୂର୍ଣ୍ଣ ସୁଧାଂଶୁ ସଦୃଶରେ । ପ୍ରାଣମିତ ।୭୬।
ରାଧା – ମଣୋହିର ଇଷ୍ଟ କି କି ?
ଲଳିତା – କିଛି ଖାଉନାହିଁ ବୋଲି ତ ଯଶୋଦା
ଦୁଃଖ କହୁଛନ୍ତି ଡାକିରେ । ପ୍ରାଣମିତ ।୭୭।
ରାଧା – ଅଶନରେ କେଣେ ହେଳା ?
ଲଳିତା – ସନ୍ତତ ବ୍ରଜଶିଶୁଙ୍କ ସଙ୍ଗେ ମନ
କରିବାକୁ ଏକା ଖେଳାରେ । ପ୍ରାଣମିତ ।୭୮।
ରାଧା – କହି ହେଉ କେତେ ତୋଷି ?
ଲଳିତା – ସେ ତୁହି ମୋ ହୃଦେ ସ୍ଫୂର୍ତ୍ତି ହେଲା କ୍ଷଣି
ଦେହ ପଡ଼ୁଛି ଉଲ୍ଲସିରେ । ପ୍ରାଣମିତ ।୭୯।
ରାଧା – ଶୁଭୁଛି ଏ କି ନିସ୍ୱନ ?
ଲଳିତା – ବନୁ ମୁରଲୀ ବଜାଇ ଆସୁଛନ୍ତି
ସେହି ବ୍ରଜେନ୍ଦ୍ର ନନ୍ଦନରେ । ପ୍ରାଣମିତ ।୮୦।
ରାଧା – ଦେଖିବା ରହି କୋଠାରେ ?
ଲଳିତା – ହର୍ମ୍ୟ ଆରୋହି କର ଦେଇ
ଗୋପାଳକୃଷ୍ଣ କର ପଇଠରେ । ପ୍ରାଣମିତ ।୮୧।