(ଗୋପାଳକୃଷ୍ଣ— ରାଗ ନାଗବଲ୍ଲୀ, ତାଳ ରୂପକ)
ଜଳ ଆଣି ଯାଇ କାଲି କଳିନ୍ଦ ସୁତାକୁ
ଫଳ ପାଇଲି ଅନାଇ ରେ ସଙ୍ଗାତ
କଦମ୍ବ ମୂଳକୁ ରେ ସଙ୍ଗାତ । ୧ ।
ନୀରଦଟି ନୀଳମଣି ପ୍ରତିମା ସେ କିଛି
ବାରି ପାରିଲି ନାହିଁ ରେ ସଙ୍ଗାତ
ନୟନେ ନାଚୁଛି ରେ ସଙ୍ଗାତ । ୨ ।
ଘମ ଘମ ନୀଳୋତ୍ପଳ କସ୍ତୁରୀ ସୁବାସ
ଘନ ଘନ ଆସୁଥିଲା ରେ ସଙ୍ଗାତ
ହୋଇଲି ଅବଶ ରେ ସଙ୍ଗାତ । ୩ ।
ପଛେ ପଛେ କେକୀ ବୃନ୍ଦ ମତ୍ତେ ପୁଚ୍ଛ ଟେକି
ଡାକି ଡାକି ନାଚୁଥିଲେ ରେ ସଙ୍ଗାତ
କହ ସେ କାହିଁକି ରେ ସଙ୍ଗାତ । ୪ ।
ଛପି ଛପି ନିକୁଞ୍ଜ ପୁଞ୍ଜ ତଳ ତଳରେ
ଆସି ଆସି ପାଇଗଲେ ରେ ସଙ୍ଗାତ
ଆଗେ କି ବେଗରେ ସଙ୍ଗୀତ । ୫ ।
ଝୁମୁ ଝୁମୁ ଧ୍ୱନି ଶୁଣି ଏଣେ ତେଣେ ମୁହଁ
ଅନାଉ ଅନାଉ ରହି ରେ ସଙ୍ଗାତ
ବୋଇଲେ କେ ନାହିଁ ରେ ସଙ୍ଗାତ । ୬ ।
ଦର ଦରଶନ କରି ଚମକି ପଡ଼ିଲି
ଦମ ଦମ ହେଲା ଛାତି ରେ ସଙ୍ଗାତ
ମଥା ପୋତିଦେଲି ରେ ସଙ୍ଗାତ । ୭ ।
ପ୍ରଚଳାଗ୍ର ପ୍ରଚଳାକ କମନୀୟ ଚୂଳ
ଢଳ ଢଳ ଖେଳୁଥିଲା ରେ ସଙ୍ଗାତ
ଗଣ୍ଡରେ କୁଣ୍ଡଳ ରେ ସଙ୍ଗାତ । ୮ ।
ଥରି ଥରି ଥରିଗଲି ବିବେକ ହଜିଲା
ଜର ଜର ହୋଇଗଲି ରେ ସଙ୍ଗାତ
ଝାଳ ବୁଡ଼ାଇଲା ରେ ସଙ୍ଗାତ । ୯ ।
ପ୍ରତି ପ୍ରତୀକ ଯାକରେ ପୁଲକ ପୂରିଲା
ତର ତର କେତେ ହେଲି ରେ ସଙ୍ଗାତ
ପଦ ନ ଚଳିଲା ରେ ସଙ୍ଗାତ । ୧୦ ।
କରକ ରଦନା କର ପ୍ରସାରୁ ସେ ପୁଣି
କହୁ କହୁ କିସଟି ମୁଁ ସଙ୍ଗାତ
ବାଣୀ ହେଲା ବଟି ରେ ସଙ୍ଗାତ । ୧୧ ।
ଶୃଙ୍ଗାର ରସ କି ସ୍ମର ହେବେ ସେ ମୁରତି
ଚାହୁଁ ଚାହୁଁ ଡାକିଦେଲା ରେ ସଙ୍ଗାତ
ଜଟିଳା ଜରତୀ ରେ ସଙ୍ଗାତ । ୧୨ ।
ଆସୁ ଆସୁ ପୁରକୁ ପଥରେ ପଚାରିଲି
ଗୋପାଳକୃଷ୍ଣ କହଇ ରେ ସଙ୍ଗାତ
ବ୍ରଜବିଧୁ ବୋଲିରେ ସଙ୍ଗାତ । ୧୩ ।