(ଗୋପାଳକୃଷ୍ଣ— ରାଗ ମାଳବଗୌଡ଼ା, ତାଳ ଏକତାଳି)
ପଥ ଛାଡ଼ିଦେ ମୁଁ ଯିବି ଫୁଲ ତୋଳି ରେ ବନମାଳୀ
ସ୍ନାନ କରିଛି ପୂଜିବି କରମାଳି ରେ ବନମାଳୀ । ଘୋଷା ।
ବୃନ୍ଦାବନେ ପୁଷ୍ପ ତୋଳୁ ରଙ୍ଗେ
ଗୋଷ୍ଠ ସୁଧାକର ରାଧା ଆଗେ
ମିଳନ୍ତେ ଅନାଇଁ ଚମକି ଭାଷନ୍ତି
ଛନ୍ନ ହୋଇ ମନ ଉଦବେଗେ ଯେ । ୧ ।
ଚାହିଁବାକୁ ଆଖି ଢାଳି ଢାଳି
ନୁହଇଟି ମୁଁ ସେ ଚନ୍ଦ୍ରାବଳୀ
ବରଜ ଦାଣ୍ଡରେ ବଜାର ବସାଇ
ବଇରୀ ହାତେ ନ ମରା ତାଳି ଯେ । ୨ ।
ବନ ମଧ୍ୟେ ଏ କି କଉତୁକ
ଯା ଯା ବାଟେ ବାଟେ ଯିବା ଲୋକ
ଯେ ତୋ ସଙ୍ଗତେ ଛାଉଲି ହେଉଥିବ
ତା ଆଗେ ହୁଅ ଏ ଭଙ୍ଗୀଯାକ ଯେ । ୩ ।
ମୁରଲୀ ଛୁଆଇଁ ଦେଲା ଲାଗେ
ପୁଲକ ପୂରିଗଲା ଶ୍ରୀଅଙ୍ଗେ
ଥରି ଅପସରି ଆଣି ନେତ୍ରୁ ବାରି
ଭାଷନ୍ତି ଲାଗନାଟି ମୋ ସଙ୍ଗେ ଯେ । ୪ ।
ବାଳକ ବୁଦ୍ଧି ତ ହୁଡ଼ି ନାହୁଁ
ଛୁଇଁଦେଲୁ ରହ କହୁ କହୁ
ବଳି ଯାଉଛିନା ଉପଦ୍ରବ ଯାକ
ଯାଉ ବୋଲୁ ସବୁ ସହୁ ସହୁ ଯେ । ୫ ।
ନୁହଇ ମୁଁ ତୋ ଟାପରା ଭଳି
ରଖ ଯା ଘରେ ଏ ଚାତୁରାଳି
ନିକଟେ ଅଛନ୍ତି ଲଳିତା ଜାଣିଲେ
ମୁଖକୁ ନ ଚାହିଁ ଦେବେ ଗାଳି । ୬ ।
ହଟାକୁ ଡରି ଶୁଭାଇ ଡାକି
ନ ପାରିବାରୁ ମୁଁ ସଜନୀଙ୍କି
ନିର୍ମଳ କୁଳ ପତିବ୍ରତା ବରତ
ନାଶ କରୁଛୁ ଏ ଧରମ କି ଯେ । ୭ ।
ହୋଇବାରୁ ଲାଗ ଲାଗ ହରି
ଲୀଳା କମଳ ଶ୍ରୀହସ୍ତେ ଧରି
ମାରି ହସିଲା ହୋଇ ଧୀରେ ବୋଲନ୍ତି
ପଳାଅ ଅଇଲେ ସହଚରୀ ଯେ । ୮ ।
ଯାଅ ହୁଅନା ମୋ ପାଶ ପାଶ
ନାଶ କରିଦେଲୁ ସୁମନସ
ହାତକୁ ହାତ ବଜାଇ ଦେଇ ପୁଣି
ବୋଲୁଛୁ ଆହୁରି କାହା ଦୋଷ ଯେ । ୯ ।
ଛିଡ଼ିଗଲା ଲୀଳା ଅରବିନ୍ଦ
ଏହିକ୍ଷଣି ଆସି ଆଳୀବୃନ୍ଦ
ପଚାରିଲେ ତାଙ୍କୁ କି ବୋଲି କହିବି
ହସୁଛି ଆହୁରି ମନ୍ଦ ମନ୍ଦ ଯେ । ୧୦ ।
ଓଗାଳୁ ସରଣୀ ଗଲେ ଯେଣେ
ଚରମ ବାସ ଓଟାରୁ କେଣେ
ପଚାରିବି କି ତୋ ଜନନୀଙ୍କି ଯାଇ
ଏ ରୀତିଯାକ ଯେ ଗୋଷ୍ଠାଙ୍ଗଣେ ଯେ । ୧୧ ।
ପରାର୍ଦ୍ଧ ମଦନ ରୂପୋଦ୍ଧତି
ନବାଞ୍ଜନ ପୁଞ୍ଜ ପରି କାନ୍ତି
କୁଞ୍ଜବନ ଯାକ ଦେବତା ବୁଲୁଛି
ଏହା ଦେଖି ପରା କହୁଥାନ୍ତି ଯେ । ୧୨ ।
ନାରୀ ମନଧନ ହରିବାର
ଖଣ୍ଟ କୁଳଗୁରୁ ତୁ ନାଗର
ରୂପ ଗୁଣ ବଂଶୀ ଆକୃତି ପ୍ରକୃତି
ଘଟାଇ ଦେଇଛି ବେଦବର ଯେ । ୧୩ ।
ଆହା ମୁଖରା ଆସନ୍ତା ହେଲେ
ପଳାଇ ଯାଆନ୍ତି ଭାରି ଗଲେ
ଆଉ ଏ ବରଜ ବନକୁ ଆସିବି
ନାହିଁ ମୋ ଦେହରେ ପ୍ରାଣ ଥିଲେ ଯେ । ୧୪ ।
ହେଟି ବାଲି ଧୂଳି ଖେଳିବାର
ଝାଳେ ଦିଶେ ତନୁ ଜର ଜର
ଚୂର୍ଣ୍ଣ କୁନ୍ତଳ ମୁଖକୁ ପଡ଼ୁଥିଲା
ତର୍ଣ୍ଣକ ପଛରେ ଧାଇଁବାର ଯେ । ୧୫ ।
ଦର ବିଚଳିତ ବାଲ୍ୟାବସ୍ଥା
ଏଡ଼େ ବେଗି କାହୁଁ ଏଡ଼େ କଥା
ପର ରମଣୀକି ଦେଖିଲେ ଦୂରରୁ
ନଇଁ ଯାଉଥାନ୍ତା ସିନା ମଥା ଯେ । ୧୬ ।
ପତ୍ନୀ ଶ୍ରଦ୍ଧା ଥିଲେ ବ୍ରଜେଶ୍ୱରୀ
ଆଗେ କହ ଦେବେ ବିଭାକରି
ପର ପରମଦା ପରେ ଆଶା କଲେ
ମନୁ ଯିବ କେତେ ସଧ ସରି ଯେ । ୧୭ ।
ଜନ୍ମ ଜନ୍ମାନ୍ତରେ ତପ କରି
ପତି ପାଇଥିଲେ ଏହିପରି
ହାତ ପଛଆଡ଼େ ଲୁହ ପୋଛୁ ପୋଛୁ
ଦିନ ନେବ ସିନା ମନ ମାରି ଯେ । ୧୮ ।
ଯମୁନା ତଟରୁ ନାରୀଙ୍କର
ଲାଟ ବାସ ଚୋରୀ କରିବାର
ଗୋପରେ ଆଜକୁ ବାଜୁଛି ଘୋଷଣା
ଅଣ୍ଟି ନାହିଁ ଲାଜ ଥରକର ଯେ । ୧୯ ।
ଏହି ଦିନୁ ଏଡ଼େ ଉଚ୍ଛୃଙ୍ଖଳ
ଆହୁରି ଅଛି ତ କାଳ ବେଳ
ଯଉବନ ଯାକ ଛୁଇଁଛି କି ନାହିଁ
ବ୍ରଜ ହୋଇଗଲା କୋଳାହଳ ଯେ । ୨୦ ।
ବ୍ରଜବଧୂ ଗଲେ ଦଧି ବିକି
ଯମୁନାରେ ବାହି ତରଣୀକି
ସ୍ରୋତ ମଧ୍ୟେ ନାବ ରଖି ତାଙ୍କୁ କଲା
ଉଦାସୀ ଧରଣୀ ଧରିବ କି ଯେ । ୨୧ ।
ସଖୀମାନେ କହୁଥିଲେ ଯାହା
ଅନୁଭବ ଆଜ କଲି ତାହା
ଶ୍ରୀ ଗୋଷ୍ଠେଶ୍ୱରୀଙ୍କ ଗର୍ଭରୁ ସମ୍ଭୂତ
ହୋଇବାକୁ ଏକା ଥିଲା ଏହା ଯେ । ୨୨ ।
ଗୋପ ଜାତିରେ ବରହୋତ୍ତଂଶ
ବଂଶୀ ବଜାଇ କେ ନଟ ବେଶ
ହୋଇ ନାଚୁଥିଲା ବିହି କି ବିହିଲା
କରିବାକୁ ସାଧ୍ୱୀବ୍ରତ ଧ୍ୱଂସ ଯେ । ୨୩ ।
ଯାହାକୁ ସନ୍ତତେ ଡରୁଥିଲି
ତା ଆଗେ ଏକାକୀ ପଡ଼ିଗଲି
କାହାକୁ ଡାକିବି କାନନ ମଧ୍ୟରେ
କେହି ନାହିଁ ଜାତି ହରାଇଲି ଯେ । ୨୪ ।
ଘରକୁ ଗଲେ ସେ ବିଶାଖାକୁ
ପଚାରିବି ସିନା କାନନକୁ
ଫୁଲ ତୋଳି ଯିବା ବୋଲି ଡାକି ଆସି
କରାଇଲା ଏ ବିଡ଼ମ୍ବନାକୁ ଯେ । ୨୫ ।
ଗୃହପତି ଜନନୀ ଜଟିଳା
ଗରଳୁ ବଳି ତା ବାଣୀ ଜ୍ୱାଳା
ଏପରି ଥିବାର ଦେଖିଲେ କାଟିବ
କଟାଳ କୁଠାରେ ମୋର ଗଳା ଯେ । ୨୬ ।
ଗଉରୀ ତୀର୍ଥକୁ ଚନ୍ଦ୍ରାବଳୀ
ଗଲା ପୂଜି ସାରିବନି କାଳୀ
ମନ କାମନା ପୂରାଇବ ସେ ସିନା
ଯାହା ଲୋଡ଼ୁଥିଲେ ତାର ଆଳୀ ଯେ । ୨୭ ।
ପାଶେ ଥିବାବେଳେ ଆର୍ଯ୍ୟଗଣ
କାହିଁ ଥାଇଟି ଏ ଧୂର୍ତ୍ତପଣ
ଦଶ ଆଙ୍ଗୁଳିକି ଅନାଇ ଚାଲିଲା
ପରି ଦିଶୁଥାଇଁ ଆଚରଣ ଯେ । ୨୮ ।
ଗୋଷ୍ଠେନ୍ଦ୍ର ନନ୍ଦନ ଅଲୌକିକ
ସୁନ୍ଦରପଣ ସୁଗୁଣ ଯାକ
ଛାରୀ ପରବଧୂ ପରସଙ୍ଗ ରଙ୍ଗ
ଆଶାରେ ନ ବୁଡ଼ା ଏଡ଼େ ଟେକ ଯେ । ୨୯ ।
କେ ଦେଖିଲେ ପ୍ରୀତି ଥିଲା ପରି
ଏବେ ପଡ଼ିଯିବ ବ୍ରଜେ ହୁରି
ପାଟକ ଜାତି ମୋ ଶିଖଣ୍ଡ ମୁକୁଟ
କୁଳରୁ ଦେବେ ବିଟାଳ କରି ଯେ । ୩୦ ।
ନାଗର ହଟ ନ କର ବୃଥା
ଲୁଚିବ ନାହିଁଟି ଏ ସର୍ବଥା
ବଦନେ ବାସ ଦେଇ ଲୋକେ ହସିବେ
କାଳକୁ ବୋଲି ରହିବ କଥା ଯେ । ୩୧ ।
ଏହିକ୍ଷଣଟି ଆର୍ତ୍ତରେ ଧାଇଁ
ସଖାଏ ଆପଣା ନାମ ଦେଇ
ଡାକି ଡାକି ଏହି ପଥେ ଗଲେ ମୁହିଁ
ଥାଉଛି ଏଠାରେ ଆସି ଯାଇଁ ଯେ । ୩୨ ।
ଗୋରୁ ଗୋପାଳଙ୍କୁ ଗିରି ଧରି
ଉଦ୍ଧରିଛ କେତେ ଉପକାରୀ
ପଣତ ପ୍ରସାରି ମାଗୁଛି ମୁଁ ଏତେ
ଆଡ଼ ହୁଅ ଥରେ ଦୟା କରି ଯେ । ୩୩ ।
ରହୁ ହାସ ପରିହାସ ଯାକ
ନିକଟେ ଶୁଭୁଛି ଲୋକ ଡାକ
ଜୁହାର କରୁଛି ରହି ନ ପାରଇ
ହୃଦ ହେଉଛି ମୋ ଦକଦକ ଯେ । ୩୪ ।
ନିଶ୍ଚେ ଆସିବି ଶପଥ ମୋର
ଏହି ପଥରେ ନାଗରବର
ଯାହା ହୋଇଲେ ମୁଁ ନିୟମ କରୁଛି
ଅବଶ୍ୟ କରିବି ଅଙ୍ଗୀକାର ଯେ । ୩୫ ।
ଫିଟିଗଲା ମୋ କବରୀ ଭାର
ଝାଳେ ପୂରିଲାଣି କଳେବର
କାହା ମୁଖ ଚାହିଁ ଆସିଥିଲି ଆଜ
ପଡ଼ିଗଲି ଏତେ ହରବର ଯେ । ୩୬ ।
କି ଶତ୍ରୁ ହେଲେଟି ଅଳି ଆଳୀ
ଏତିକି ବେଳକୁ ପାଶେ ମିଳି
କରି କାକଳୀ ମୋ ବିବେକ ହରିଲେ
ଆହା କେଉଁ ଆଡ଼େ ଗଲେ ଆଳୀ ଯେ । ୩୭ ।
ହସି ବ୍ରଜବଧୂ ମଧୁକର
ନିକର କରି ଶ୍ରୀକରେ ଦୂର
ଭାଷିଲେ ହୃଦେ ଲଗାଇ କେ କରିବ
ପରିଜନେ ଅବଧାନ କର ଯେ । ୩୮ ।
ନକ୍ଷତ୍ର ମାଳା ହୃଦରୁ ଫେଇ
ମୋହନ ଶ୍ରୀରାଧା କଣ୍ଠେ ଦେଇ
ବିନୟ ହୋଇ ଭାଷିଲେ ମିଷ୍ଟ ମିଷ୍ଟ
ବାଣୀକି ସକମ୍ପ ତନୁ ବହି ଯେ । ୩୯ ।
ବଲ୍ଲୀ ଉହାଡ଼ରେ ସଖୀ ବ୍ୟୂହ
ରହି ଶୁଣୁଥିଲେ ଯେ କଳହ
ଶ୍ରୀକୃଷ୍ଣ ଶ୍ରୀମତୀ ମିଳନ ବିଲୋକି
ସୁଖରେ ପାଶୋରି ଦେଲେ ଦେହ ଯେ । ୪୦ ।
ଶ୍ରୀକୁଣ୍ଡ ସେତୁ ନିକୁଞ୍ଜ ଶେଯେ
ଶ୍ରୀ ରାଧା ମାଧବ କଲେ ବିଜେ
ପୁଷ୍ପ ବ୍ୟଜନ ଧରି ଗୋପାଳକୃଷ୍ଣ
ପଟ୍ଟନାୟକ ପଦାବ୍ଜେ ଭଜେ ଯେ । ୪୧ ।