Sri Radha Gobinda Kebe Dekhaiba

(Gopalakrusna)
(ଗୋପାଳକୃଷ୍ଣ)

ଶ୍ରୀ ରାଧାଗୋବିନ୍ଦ
କେବେ ଦେଖାଇବ ଶ୍ରୀମୁଖ ଦ୍ୱନ୍ଦ୍ୱ ଯେ । ଘୋଷା ।

ରାସ ଅବସାନେ ପୁଷ୍ପ ଶେଯରେ
ବିଜେ କରି ଗୋକୁଳେନ୍ଦୁ ଅଙ୍କରେ
ପ୍ରାଣନାଥ ହୃଦେ ପହୁଡ଼ିବାର । ୧ ।

ନାଗରେନ୍ଦ୍ର ଚାହିଁ ସେ ଶ୍ରୀମୁଖକୁ
ହସିବାର ଭିଡ଼ି ରଦ ବାସକୁ
ଦେଖି ଲଳିତାଦି ସୁଖସିନ୍ଧୁରେ
ରହିଥିବେ ଯେ ମଜ୍ଜି ଆନନ୍ଦରେ । ୨ ।

କରୁ ଖସି ପଡ଼ିଲା ସରୋରୁହ
ହସି ବିଶାଖା କଲାର ସଂଗ୍ରହ
ଦେଖାଇବ ବିହି କେଉଁ କାଳରେ
ବିଞ୍ଚୁଥିବି ମୁଁ ପୁଷ୍ପ ବ୍ୟଜନରେ । ୩ ।

ଅଙ୍ଗ ପରିମଳରେ ଆସୁଁ ଅଳି
ନିବାରିବାର ପ୍ରିୟ କର ଚାଳି
ଶ୍ୱାସବଶେ ନାସାପୁଟ ମୁକୁତା
ମନ୍ଦ ମନ୍ଦ ଚଳନ ରୁଚିକରତା । ୪ ।

କୁଞ୍ଜବିହାରୀ ନେତ୍ର ପୁଣ୍ୟ ପୁଞ୍ଜ
ସେହିକ୍ଷଣି ହେଲା ପରି ବିଭ୍ରାଜ୍ୟ
ଆହା ନବୀନ କଳା କାଦମ୍ବିନୀ
ମଧ୍ୟେ ସ୍ଥିର ହେଲାପରି ଦାମିନୀ । ୫ ।

ହସି ଲଳିତା ନିକଟକୁ ଆସି
ଚାରୁ ଚିବୁକେ ସ୍ୱକର ନିବେଶି
ଉଠାଉଁ ସେ ଶ୍ଳିଷ୍ଠ ବାଣୀ ବାଉଳି
କହିବାର ସେ ପ୍ରାଣନାଥ ବୋଲି । ୬ ।