Kipari Madhura Ghena Re Manasa

କିପରି ମଧୁର ଘେନ ରେ ମାନସ
(Gopalakrusna— Raga Nadaramakeri, Tala Ekatali)
(ଗୋପାଳକୃଷ୍ଣ— ରାଗ ନାଦରାମକେରୀ, ତାଳ ଏକତାଳି)

କିପରି ମଧୁର ଘେନ ରେ ମାନସ
ଶ୍ରୀରାଧାଗୋବିନ୍ଦ ପ୍ରଣୟ ବିଳାସ
କଥା ରସ ଆସ୍ୱାଦନ । ଘୋଷା ।

ଶୀତକରାମୃତ ସ୍ୱାଦୁ ଉନ୍ନତକୁ
ଅବନତ କରି ପାଦେ
ହରିପୁରର ସୁଧାର ଦୁର୍ଲ୍ଲକ୍ଷକ
ହୋଇଛି ଯେ ପ୍ରତିପାଦେ । ୧ ।

ସ୍ପରଶିଲାକ୍ଷଣି ରସନାରେ
ବର୍ଣ୍ଣାବଳୀରୁ ଚାରି କି ପାଞ୍ଚ
କଣ୍ଠ ଗଦ ଗଦ ହୋଇ କି ସୁଖରେ
ତନୁ ହେଉଛି ରୋମାଞ୍ଚ । ୨ ।

ଈକ୍ଷଣରୁ ଆନନ୍ଦାଶ୍ରୁ ବହିବାର
ବିରାମ ନୋହେ ହେ ଆଉ ।
ପ୍ରାଣେଶ୍ୱରୀ ପ୍ରାଣନାଥଙ୍କ ସ୍ୱରୂପ
ହୃଦରୁ ଯାଇକି ଆଉ । ୩ ।

ସ୍ୱେଦ କମ୍ପ ପୁରିଯାଇ ଏଣେ ଅଙ୍ଗ
ଶ୍ରୀଗୁରୁ ଦତ୍ତ ଦେହରେ
ନିଯୋଜନା ହୋଇବାର ଭାବନାରେ
ତେଣେ ସ୍ୱାମିନୀ ସେବାରେ । ୪ ।

କୋଟିଏ ଜନ୍ମରେ ମିଳିବ ନାହିଁଟି
ପ୍ରଣୟ ଭକ୍ତି ସମ୍ଭୁତ
ସାତ୍ତ୍ୱିକ ନବ ରତନ ଚିନ୍ତାମଣି
ଗୋପାଳକୃଷ୍ଣ କଥିତ । ୫ ।