(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଆଦିତାଳ)
କାହିଁକି ମନ ନ ଘେନୁ ତୁ କେତେ କହିଲେ
ଶ୍ରୀରାଧାକୃଷ୍ଣଙ୍କୁ ପଦାବ୍ଜେ ରହିଥା ବୋଇଲେ । ଘୋଷା ।
ପରମ୍ପରାଦି ଲୋକରେ ନାହିଁ କେ ସଦୃଶରେ
ଗଣନା ହୋଇବୁ ତାଙ୍କ କିଙ୍କରୀଙ୍କ ତୁଲେ । ୧ ।
ଅଧୀଶାଧିଶ ମାଧୁରୀ ସ୍ୱଚ୍ଛନ୍ଦରେ ଅବଧରି
ଯେମନ୍ତ ସୁଖ ଲଭିବୁ ହେଜିବୁ ସେ କାଳେ । ୨ ।
ତୋ ସ୍ୱାମିନୀ ସ୍ୱାମୀଙ୍କର ଶ୍ରୀ ବୃନ୍ଦାରଣ୍ୟ ବିହାର
ଦେଖି ଭାସିବୁ ପୀୟୂଷ ବାରିଧି କଲ୍ଲୋଳେ । ୩ ।
ରାସେଶ୍ୱରୀ ରାସେଶ୍ୱରୀ ହୃଦରେ ଆଉଜିବାର
ରାସାବସାନେ ସେବିବୁ ବୟସୀ ସଙ୍କୁଳେ । ୪ ।
ଦିବ୍ୟ ନେତ୍ରେ ପ୍ରେମ ରଞ୍ଜି କର ଆଲୋକନ
ରହି ରତ୍ନ ଚିନ୍ତାମଣି ସିଂହାସନ ତଳେ । ୫ ।
କୁତ୍ସିତ ବିଷୟ ଭୋଗ ଆଶାରେ ହୁଅନା ଯୋଗ୍ୟ
ଗୋପାଳକୃଷ୍ଣ କହଇ ମଜ୍ଜ ଅବିକଳେ । ୬ ।