Jagabandhu Dayalu Thau Mana

ଜଗବନ୍ଧୁ ଦୟାଳୁ ଥାଉ ମନ
(Gopalakrusna— Raga Sankarabharana, Tala Rupaka)
(ଗୋପାଳକୃଷ୍ଣ— ରାଗ ଶଙ୍କରାଭରଣ, ତାଳ ରୂପକ)

ଜଗବନ୍ଧୁ ଦୟାଳୁ
ଥାଉ ମନ କାହିଁ ପାଇଁ ଭାଳୁରେ
ରହ ଉଦ୍ଧରିବେ ଏ ଜଞ୍ଜାଳୁ ରେ । ଘୋଷା ।

ନିରୂପାଧି କୃପାକର ମହିମାବଧି
ନୀଳାଚଳ ସୁଧାକର
ନିଖିଳ ପ୍ରାଣୀ ହିତକାରୀ ତୋ
ଛାର କଦନ କି ତାକୁ ଘୋର । ୧ ।

ପ୍ରତିବଦାନ୍ୟେଶ ସ୍ୱରୂପ ଆର୍ଥିଙ୍କ
କରୁଣା ନୃପେ ପ୍ରସନ୍ନେ
ଯୁବତୀଙ୍କ କାମ ସଖାକୁହିଁ ସମ
ଅଧୀନ ସ୍ୱଭକ୍ତଜନେ । ୨ ।

ଦାମୋଦର ଗଲେ ନ ମାଗୁ ଯା
ଦେଲେ ଶୁଣିତ ଥିବ ପୁରାଣେ
ବୃଥା ହୋଇବ କପି ଜଣାଇବାର
ତୁ ପ୍ରଣାମ କରି ଚରଣେ । ୩ ।

କୃପାଳୁ ପଣ କେ କଳିବ ପିଆଇ
ଦେଇଥିଲା ବିଷ ବକୀ
ଦୋଷ ଘେନି କିସ ଦଣ୍ଡିବେ
ଜନନୀଗଣରେ ଦେଲେ ଗତିକି । ୪ ।

ନୃପମଣି ଗୋପି ସୀତା ପିତୃଙ୍କର
ଶତ୍ରୁ କ୍ଷୟ ଆତ୍ମ ମୋକ୍ଷ
କରିଛି ଯା ନାମ ମାତ୍ରକେ ସେ ପ୍ରଭୁ
ହୋଇଅଛନ୍ତି ପ୍ରତ୍ୟକ୍ଷ । ୫ ।

ବାରଣକର ପରିତ୍ରାଣ ଘୋଷଣ
ବ୍ରହ୍ମାଣ୍ଡ ଭିତ୍ତି ଫିଟାଇ
ବାହାରି ଯାଇଛି ନ କରି ସ୍ମରଣ ଦୁଃଖୀ
ଦୁଃଖୀହେଉ କାହିଁପାଇଁ । ୬ ।

କୁରୁସଭା ତଳେ ଡାକିବାର ବେଳେ
ଯାହା ଦେଲେ ଦ୍ରୌପଦୀଙ୍କି
ଆଉ ତାହା ପୁଣି ବୋଲି ମୁଁ ତା ଋଣି
କହୁଅଛନ୍ତି ଯେ ଡାକି । ୭ ।

ଭକ୍ତ ବନ୍ଧୁ ପଣ ଭାରତ ଯୁଦ୍ଧରେ
ଭୀଷ୍ମଠାରେ ଦିଶାଇଲେ
ନିୟମ ଲଙ୍ଘି ରଥରୁ ଡେଇଁ
ରଥଚରଣ ଧରି ଧାଇଁଲେ । ୮ ।

ଶରଣ ପଶି ବିଭୀଷଣ ଆସିଛି
ବୋଲି କହୁଁ ଶ୍ରୀଛାମୁରେ
ଦେଲେନି ସେତେବେଳକୁ ତାକୁ
ଲଙ୍କପଦବୀ ଭୁରୁ ଲୀଳାରେ । ୯ ।

ବିଧି ପଦ ସୁଖ ବୋଲି ହନୁମାନ
କଲାରୁ ଅନୁମୋଦନ
ବ୍ରହ୍ମା କରିବେ ରଖିଛନ୍ତି ପ୍ରଭୁ
କେ ଏପରି ଜାଣିବ ମନ । ୧୦ ।

ଧ୍ରୁବ ମନୋରଥ ପୂର୍ଣ୍ଣ କରିବାରେ
ପ୍ରତ୍ୟକ୍ଷରେ ତ ଦିଶୁଛି
ଚରଣ ପଙ୍କଜ ରଜରେ ପଥରେ
ପଥର ନାରୀ ତରିଛି । ୧୧ ।

ପ୍ରହର ଅର୍ଦ୍ଧକେ ଧୂଳି କଲେ ଭକ୍ତ
ବଇରୀ ରାକ୍ଷସ ମେରୁ
ସେ ପ୍ରହଲାଦଙ୍କ ବିପଦଠାରୁ ତ
ନୁହଁଇ ତୋ ଖେଦ ଗୁରୁ । ୧୨ ।

ଭଜନ କୀର୍ତ୍ତନ ଆତ୍ମସମର୍ପଣ
ଦାସ୍ୟ ସଖ୍ୟାଭିବାଦନ
ସ୍ମରଣ ପୂଜା ଶ୍ରବଣ ନବରତ୍ନ
କୂଟ କରିଛନ୍ତି ଦାନ । ୧୩ ।

ରମା ଶୁକ ବଳି ହୁନମାନାର୍ଜ୍ଜୁନ
ଅକ୍ରୂର ଦୈତ୍ୟ ତନୁଜ
ପୃଥୁ ପରୀକ୍ଷତ ହୋଇ ଅଳଂକୃତ
ଲଭିଛନ୍ତି ପଦକଞ୍ଜ । ୧୪ ।

ବୋଲିବୁ ମୁଁ ଦୀନ ଭଜନ ସାଧନ
ନ ଜାଣଇ ଜନମରୁ
ଅଜାମିଳ ଯାମଳାର୍ଜ୍ଜୁନ କି ତପ
କରିଥିଲେଟି ପୂର୍ବରୁ । ୧୫ ।

ଯା ଗୁଣାର୍ଣ୍ଣବରୁ ବିନ୍ଦୁଏ ବର୍ଣ୍ଣିଲେ
ଶେଷରେ ନ ହେବ ଶେଷ
କି କହିବି ତାହା ଗୋପାଳକୃଷ୍ଣ
ନୁହଁଇ କୀଟ ସଦୃଶ । ୧୬ ।