Kene Asilu Mana Rahi Na Jai

କେଣେ ଆସିଲୁ ମନ ରହି ନ ଯାଇ
(Gopalakrusna— Raga Todi, Tala Ekatali)
(ଗୋପାଳକୃଷ୍ଣ— ରାଗ ତୋଡ଼ି, ତାଳ ଏକତାଳି)

କେଣେ ଆସିଲୁ ମନ ରହି ନ ଯାଇ
ସମୟ ବଳିଯିବ ହେଲୁ କି ବାଇ । ଘୋଷା ।

ଗୋଷ୍ଠାଚଳ ଚନ୍ଦ୍ରମା ଶ୍ରୀ ବୃଷଭାନୁ ଜେମା
ପଦାରବିନ୍ଦ ସେବା ତୁ ଛାଡ଼ିଦେଇ । ୧ ।

ନିଭୃତ କୁଞ୍ଜରେ ତ ଅଳି କରିବେ ରୁତ
ଡାକି କଖ୍‌ଖଟୀ ଏବେ ଦେବ ଉଠାଇ । ୨ ।

ହୋଇଲେ ଅପହୁଡ଼ ଧରି କାଞ୍ଚୀ ପାହୁଡ଼
ସ୍ୱାମିନୀ ଆଗେ ଯାନ୍ତୁ ପଥ କଢ଼ାଇ । ୩ ।

ସୂର୍ଯ୍ୟ ପୂଜା ବେଳରେ ସ୍ୱାମିନୀ ଅଞ୍ଜଳିରେ
ବେଗେ ଅର୍ଘ୍ୟ ନୀରେ ଦିଅନ୍ତୁ ବଢ଼ାଇ । ୪ ।

ନନ୍ଦପୁରକୁ ବିଜେ କଲେ ଗହଣେ ତୁ ଯେ
ଥାଇ ପ୍ରାଙ୍ଗଣେ ପଦ ଦିଅନ୍ତୁ ଧୋଇ । ୫ ।

ନାଗେଶ୍ୱର କୁଞ୍ଜରେ ଶ୍ରୀ ରତନ ଦୋଳାରେ
ବିଜେକଲୁ ତୁ ଦେଖନ୍ତୁ ପହଞ୍ଚାଇ । ୬ ।

ସାରି ଜଳଲୀଳାକୁ ବାସ ଲାଗି ହେବାକୁ
ବସ୍ତ୍ରାଚରଣ କରନ୍ତୁ ପରା ଥାଇ । ୭ ।

ସ୍ୱେଶ୍ୱରୀ ତୋର ହସ୍ତେ ବଂଶୀଦେଲେ ଗୁପତେ
ଯତନେ ରଖିଥାନ୍ତୁ ପରା ଲୁଚାଇ । ୮ ।

ଶ୍ରୀମତୀ ଗୁମାନରେ ଲଳିତାଙ୍କ ପଦରେ
ଜଣାନ୍ତୁ ଜଣାଣ ଶ୍ରୀ ଗୋବିନ୍ଦଙ୍କ ପାଇଁ । ୯ ।

ପ୍ରାଣନାଥ ଛାମୁକୁ ବିଜେକଲା କାଳକୁ
ଲୋଡ଼ିବେ ବେଗେ ଏବେ ଯାଅ ପଳାଇ । ୧୦ ।

କେତେ ପ୍ରହେଳି ଗାନ ଆହା ରାସ ନର୍ତ୍ତନ
ଶ୍ରମ ନାଶିବୁ ଫୁଲପଙ୍ଖା ପକାଇ । ୧୧ ।

ନାଗରେନ୍ଦ୍ର ଛାମୁରୁ ବୃନ୍ଦା ଆସୁ ଦୂରରୁ
ସ୍ୱେଶ୍ୱରୀଙ୍କି ରହରେ ଦେବୁ ଭେଟାଇ । ୧୨ ।

ନାରୀ ଶିର ଭୂଷାଙ୍କୁ ନାଗର ମୁକୁଟଙ୍କୁ
ମୂରୁଛିଲୁ କିପରି ତୁ ନ ଲୋଭାଇ । ୧୩ ।

ମଧୁପାନ ଉତ୍ତାରେ ଜଗିଥାନ୍ତୁ ଲାଗରେ
ପୁଧା ସଂଳାପ ଶୁଣି ହସିଲା ହୋଇ । ୧୪ ।

ନିକୁଞ୍ଜ ପ୍ରାଙ୍ଗଣରେ ଚନ୍ଦ୍ରମା କିରଣରେ
ପ୍ରହେଳୀ କଉତୁକ ଶୁଣିଲୁ ନାହିଁ । ୧୫ ।

ପଶାଖେଳ ବେଳରେ ସ୍ୱାମିନୀ ନ ବସିଲେ
ବଳେ ଲଳିତା ଦେବେ ଧରି ବସାଇ । ୧୬ ।

ଗୋପାଳକୃଷ୍ଣ ଭଣେ ପ୍ରାଣକୁ ତୋ ଗୃହେ
ନିଅ ଭାବନା ଦେହ ଭିତରେ ଲାଇ । ୧୭ ।