Braja Banaku Mana Ja Chali Re

ବ୍ରଜ ବନକୁ ମନ ଯା ଚାଲିରେ
(Gopalakrusna— Raga Sankarabharana, Tala Rupaka)
(ଗୋପାଳକୃଷ୍ଣ— ରାଗ ଶଙ୍କରାଭରଣ, ତାଳ ରୂପକ)

ବ୍ରଜ ବନକୁ ମନ ଯା ଚାଲିରେ
ଜୟ ରାଧେ କୃଷ୍ଣ ବୋଲିରେ । ଘୋଷା ।

ଭାଳନା ଏଥିରେ କିଛି ନାହିଁ ସୁଖ
ମୁରୁଖ ସବୁଟି ଦୁଃଖରେ
ନିଭୃତ କୁଞ୍ଜରେ ବିଜେ କରିଛନ୍ତି
ରହି ଦେଖ ଚନ୍ଦ୍ର ମୁଖରେ । ୧ ।

ଚିନ୍ମୟ ଚିଦ୍‌ଘନ ରସମୟ କୃଷ୍ଣ
ଆନନ୍ଦରୂପିଣୀ ରାଧା
ସଖୀ ମଞ୍ଜରୀଙ୍କ ସଙ୍ଗତେ ରହିବୁ
ନାଶିବେ ସକଳ ବାଧାରେ । ୨ ।

ନିଶାନ୍ତରୁ ରାସାବସାନ ପର୍ଯ୍ୟନ୍ତେ
ସେବାରେ ଥିବୁ ସନ୍ତତରେ
ନିଷ୍କାମ ହୋଇଣ ସାଧୁଜନେ ପୁଣ
ରହିଣ ଭାଳ ତୁ ଅନ୍ତରେ । ୩ ।

ଶ୍ରୀ ଗୁରୁଦତ୍ତ ବୀଜମନ୍ତ୍ର ଆଧାର
କରିଣ ହୃଦରେ ରଖରେ
ଗୋପାଳକୃଷ୍ଣ ଭାଷଇ ସେ ଯୁଗଳ
ରସକୁ ଭାବି ତୁ ସୁଖରେ । ୪ ।