(ବନମାଳୀ— ରାଗ ମୋହନା, ତାଳ ଖେମଟା)
କୁଷୁନିଆଁ ଗିଳିଛି ନିଆଁ
ପୋଡ଼ିଦେବଟି ତୋ ପ୍ରୀତି ସୁନିଆଁ
ହେ ଦରହାସୀ ତୁ ନଜର ଫେରାଇ
କଦର କରି ତାଠାରୁ ଘେନିଆଁ । ଘୋଷା ।
ଜାଣୁ କିନା ପୂତନା ଦାସୀ
କ୍ଷୀର ପାନେ ଦେଇଛି ନାଶି
ଶିଶୁଟି ଦିନରୁ ସେ ବଡ଼ ସାହସୀ
ଛନ୍ଦା ଚରଣିଆ ବୃନ୍ଦାବନିଆଁ । ୧ ।
ବଂଶୀ ସ୍ୱରେ ନାମ ଉଚ୍ଚାରି
ଦଂଶି ଓଷ୍ଠ କିସ ବିଚାରି
ବସି ନୀପ ମୂଳେ କି ମନ୍ତ୍ର ପଢ଼ଇ
ରସିକ ରତନ ରାଜଧାନିଆଁ । ୨ ।
ନାଟ କରି ଓଗାଳେ ବାଟ
ଘାଟଜଗା ସେ ନନ୍ଦଚାଟ
ଛାଟ ଧରି କଲେ ଯେତେହେଁ ଆକଟ
କାହାକୁ ନ ମାନେ ସେ ଅମାନିଆଁ । ୩ ।
ଜାଣଇ ସେ ମୋହିନୀ ଲଗା
ବେଳ ଦେଖି ଦିଅଇ ଦଗା
ତା ପାଲରେ ଜୁଟି ତୋ ପରି କେତୋଟି
ଗୋଟି ଗୋଟି ହୋଇଲେଣି ଛାନିଆଁ । ୪ ।
ରସେ ବନମାଳୀ ବଦତି
କିଶୋରୀଙ୍କି ବୋଲନ୍ତି ଦୂତୀ
ହାସ ଭାଷ ଭଙ୍ଗୀ ଚାହାଣୀ ଛଟାରେ
ଭୁଲାଇ ଜାଣେ ସେ ଗୋପ କନିଆଁ । ୫ ।