Gala Gokula Dharma Bhasi Ta

ଗଲା ଗୋକୁଳ ଧର୍ମ ଭାସି ତ
(Banamali— Raga Kusuma Kedara, Tala Ekatali)
(ବନମାଳୀ— ରାଗ କୁସୁମ କେଦାର, ତାଳ ଏକତାଳି)

ଗଲା ଗୋକୁଳ ଧର୍ମ ଭାସି ତ
ଶ୍ୟାମ ଜାତି ମହତ ଦେଲା ଧ୍ୱଂସି ତ । ଘୋଷା ।

କି ଭଙ୍ଗୀରେ ହୁଏ ଛିଡ଼ା ନ ରଖେ ଆଖି ପିଛଡ଼ା
କୁଳବତୀ ବ୍ରୀଡ଼ା ଛାଡ଼ି ଆସି ତ । ୧ ।

ସ୍ୱର୍ଗେ ନ ଥିବ ସୁଧାରେ ନ ଦିଶଇ ବସୁଧାରେ
ବହେ ଯା ପୀୟୂଷ ଧାରେ ଭାଷିତ । ୨ ।

କାମ ଛୁରୀ ଚାହିଁବାର ହୃଦେ ପଶେ ବାର ବାର
ଥରେ ଅନାଇଲେ ବାର ମାସୀ ତ । ୩ ।

ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେ
ନାହିଁ ମୁଁ ଜହ୍ନୁ ସୁତାରେ ଭାସି ତ । ୪ ।

କହେ ବନମାଳୀ ସାର ବ୍ରଜ ନରେନ୍ଦ୍ର କୁମାର
ଶ୍ରୀଅଙ୍ଗକୁ ଛାର ମାର ଭର୍ତ୍ସିତ । ୫ ।