(ବନମାଳୀ— ରାଗ ଗଡ଼ମାଳିଆ, ତାଳ ଖେମଟା)
ଗୋ ଜେମାଦେଈ
କି ଶୁଣିବ ଶୁଣ ମନ ଦେଈ ଗୋ । ଘୋଷା ।
ଯାହା କରେ ନନ୍ଦ ଚାଟ ଗୋ
ପୋଥିଟାକର ପାଠ
ଭଲା ଯଶୋବନ୍ତୀ ଜଞ୍ଜାଳ ସହନ୍ତି
ନ ପାରି କରି ଆକଟ ଗୋ । ୧ ।
ହାଟ ବାଟ ଘାଟ ଜଗା ଗୋ
ହଟିଆ ଲବଣୀ ମଗା
ଯମୁନା ନଈରେ ନାବକେଳି କରି
ଦିନେ ଦେଇଥିଲା ଦଗା ଗୋ । ୨ ।
ଛଇଳ ନାଗର ହରି ଗୋ
କରେ କେତେ ହୁରିଜୁରି
ଗୋଦୋହନ ବେଳେ ଲୁଚି ରହି ହେଳେ
ଫିଟାଇ ଦିଏ ବାଛୁରୀ ଗୋ । ୩ ।
କଅଁଳା ପୁଅଟି ଦିନୁ ଗୋ
କେତେ ରସ ଜାଣେ କାହ୍ନୁ
ଗୃହ କର୍ମ ଛଳେ ପାଶୋରି ବସିଲେ
ତା କଥା ନ ଯାଏ ମନୁ ଗୋ । ୪ ।
ବନମାଳୀ ରସେ କହି ଗୋ
କାଳିଆ କଳଙ୍କ ସେହି
ତାହା ସଙ୍ଗେ ଯେହୁ ପୀରତି କରିବ
ମରିବ ଜହର ଖାଇ ଗୋ । ୫ ।