Chakadola Chikkana Kalia He

ଚକାଡୋଳା ଚିକ୍କଣ କାଳିଆ ହେ
(Banamali— Raga Khanda Bangalasri, Tala Ekatali)
(ବନମାଳୀ— ରାଗ ଖଣ୍ଡ ବଙ୍ଗଳାଶ୍ରୀ, ତାଳ ଏକତାଳି)

ଚକାଡୋଳା ଚିକ୍କଣ କାଳିଆ ହେ
ବକାରି ମୋ କଥା ଶୁଣ
ଠକାଠକି ଖଣ୍ଟ ଚଳିବ ନାହିଁଟି
ପକାଇ କହୁଛି ରାଣ । ଘୋଷା ।

ଢକ୍କା ବାଜୁଅଛି ଚଉଦ ବ୍ରହ୍ମାଣ୍ଡେ
ତୁମ୍ଭର ଯେତେକ ଗୁଣ
ପକ୍କା ଜଣେ ବୋଲି ଆଗୁଁ ଶୁଣିଥିଲି
ଡକାଇତରେ ଆପଣ । ୧ ।

କକା ରଥେ ବସି ପକାଇଲ ଧ୍ୱଂସି
ସ୍ୱମାତୁଳ କଂସରାଣ
ହକାରି ଥିଲା ସେ ମନେ କୂଟ ପାଞ୍ଚି
ଶୁଝିଦେଲ ପିତୃଋଣ । ୨ ।

ଅକାମନା ଭକ୍ତି କରି ଗୋପ ଗୋଈ
ଚରଣେ ଗଲେ ଶରଣ
ବକା ଛଳେ କେ ବା ରସ ରହସ୍ୟରେ
କଲେ ନିତି ସୁମରଣ । ୩ ।

ଅକାଳିଆ ଦାସ ବନମାଳୀ ପାଶ
ଛଡ଼ା ହେଲେ ଏକ କ୍ଷଣ
ତକାଇବି ନାହିଁ ନିଶ୍ଚେଁ ଗାଳି ଦେବି
ଯା ଇଚ୍ଛା ତାହା ବୋଲିଣ । ୪ ।