Sarada Sangi Brundabana Sundara

ଶରଦସଂଗି ବୃନ୍ଦାବନ ସୁନ୍ଦର
(Krusna Dasa Badajena— Raga Dhannasika)
(କୃଷ୍ଣଦାସ ବଡ଼ଜେନା— ରାଗ ଧନ୍ନାସିକା)

( ଧନ୍ନାସୀରାଗେଣ — ସୂଡ଼ପ୍ରବନ୍ଧ )

ଶରଦସଂଗି ବୃନ୍ଦାବନ ସୁନ୍ଦର
ପୂର୍ଣ୍ଣଚନ୍ଦ୍ରରୁଚି ଭାଜିଦିଗନ୍ତର
କାଶଭାସଶୁଭମେଦିନି ପରିସର
ନିର୍ଜଳଜଳଧର ପାଣ୍ଡର ଅମ୍ବର ।
କମଳକୁମୁଦଶୁଚି କାଳିନ୍ଦିନୀର
ରାଜହଂସସିତ ପୁଳିନ ମନୋହର
ନନ୍ଦନନ୍ଦନ ଆନନ୍ଦେନ କିମେ
ଶୁଦ୍ଧ ବେଶ ଋତୁ ରାଜିତୁ ଆ । ଇତ୍ୟାଦିତାଳଃ

ଶରଦ ଋତୁରାଜ ଏହୁ ରାଜିତ ଦିଗନ୍ତା
ପେଖ୍‌ଖି ବହୁ ହରଷ ହରି ମଦନରସବନ୍ତା ।
କାଳିନ୍ଦିତଟନିକଟ କୁଞ୍ଜେ ବସନ୍ତା
ରାସରସେ କେଳି ମନ ସହ ଗୋପକାନ୍ତା ।
ନିଖିଳଜନ ନୟନମନ ରୂପେ ହରନ୍ତା
ନିରୁପମା ଲାବଣ୍ୟ ସକଳସୁଖଦେନ୍ତା । ଇତି ଝମ୍ପକଃ

ଆ ବେଣୁଧରି ହରି ବାଦନ କରୁରେ
ବନ ହରିଣ ପକ୍ଷିଗଣ ଧୁନି ଶୁନିରେ
ଆରେ ନିଶ୍ଚଳା ତନୁଜନୁ ଯୋଗ ସାଧନୁରେ । ଇତି ଅଡ୍ଡତାଳଃ

ବେଣୁଧୁନି ଶୁଣି ଗୋପିଜନ୍ନା
କୁସୁମଶରଶର ବେଧି ତନ୍ନା
ଏକୁ ସମୟେ ତେଜୁ ଭବନା
ସର୍ବସୁଖ ଜଳ କହୁ ଆ । ଇତି ତ୍ରିପୁଟଃ

ଆ ଆ ନନ୍ଦନନ୍ଦନ ଲାଗି କାମିନି ନଗନ ଲେ ଆ । ଇତି ଯତିଃ

ବେଣୁଧୁନ୍ନି ଅନ୍ନୁସାରି ଗୋପନାରିରଙ୍ଗିନୀ
ପୁଲକପୂର ପୁରି କପୋଳ ସ୍ୱେଦବିନ୍ଦୁସଙ୍ଗିନୀ ।
ଧାଇ ବେଗ ମନ୍ତ୍ର ଆଗ ପାଛୁଲାଗ ସହଚରୀ
ପ୍ରାଣନାଥ ଅଭିସରଳ୍ଳ କଳସଙ୍ଗ ପରିହାରି । ଇତି ମଣ୍ଠଃ

ପେଖତୁରେ ବ୍ରଜତରୁଣୀଜନ ବୃନ୍ଦାବନନୟନାନନ୍ଦନ
କାୟକାନ୍ତି ନବଘନଶୋଭନ ତରୁଣ ମନମୋହନ ଇଆ ।
ଶିଖିଶିଖଣ୍ଡମଣ୍ଡିତକୁନ୍ତଳ
ମାଳତିମାଳ ଗୁଞ୍ଜ ମଞ୍ଜୁଳ
ଗଣ୍ଡସ୍ଥଳବିଲୁଳିତ ମୁଖଜିତବିଧୁମଣ୍ଡଳ ଇଆ । ଇତି ନିଃସାରିକଃ

କନକକଳିତ କଙ୍କଣକର କିଙ୍କିଣିପଦଲମ୍ବିତମ୍
ମଧୁରମୁରଲୀ ମୋହନଧୁନି ଅଧର ବିମ୍ବଚୁମ୍ବିତମ୍ ।
ପ୍ରାଣନାଥ ସନିଧ ମିଳଳେ ରଙ୍ଗେ ଗୋପବାଳିକା
ସାନନ୍ଦେ ଦେଇ ନୟନେ ନୟନ ନୀଳନଳିନମାଳିକା । ଇତି ଉପାଡ୍ଡତାଳଃ

ନାସେ ମୁକୁତାଗଳ ଉରେ ବନମାଳା
ଅରୁଣକମଳଦଳନୟନ ବିଶାଳା
ପୀତବସନ ଶ୍ୟାମସୁନ୍ଦର ଦେହା
ନୀଳଜଳଦେ ଜନୁ ବିଜୁଳି ରେହା । ଇତି କୁଡୁକ୍କଃ । ପଡ଼ିତାଳ ଇତି ପ୍ରସିଦ୍ଧିଃ ।

ଆଜୁ ଭେଟଲ୍ଲ ନନ୍ଦକିଶୋରା
ମଦନମୋହନରୂପ ଜୀବନ ହମାରା । ଇତି ରୂପକଃ

ପରମ ମୋହନରୂପ ପରଂବ୍ରହ୍ମମୟ
ମନୁଜ ଭକ୍ତ ଗୋପୀଜନ
ବାଞ୍ଛାପୂରଣ ଉଚିତ ରାସବନ୍ଦନାଖଚିତ
ସୂଡ଼ ପ୍ରବନ୍ଧ କୃଷ୍ଣଦାସ କବି ବିରଚିତ
ପ୍ରଚରତୁ ଆଚନ୍ଦ୍ରତାରକ ଇଆ । ଇତ୍ୟାଲୋପୋଽତାଳଃ

କମଳାସନ ଶିବ ସହିତ ପୁରନ୍ଦର
ମୁଖ୍ୟ ଅମରବର ପୂରିତ ଅମ୍ବର
ପୁଷ୍ପବୃଷ୍ଟିକର କିନ୍ନର ଅପସର
ଦୁନ୍ଦୁଭିଶବଦ ଦିଗନ୍ତର ଆ ।
ରାସେ ରସିକ ମୁରାରି ନାରିଗଣ
ସଙ୍ଗ ରଙ୍ଗରସ ବିରଚିତ ବିହରଣ
ଚଉଦିଶ ଉଦିଲେ ଅମୃତ କିରଣ
ଅମଳକମଳଯୁଗ ଧାରଣୁଆ । ଇତ୍ୟେକତାଳୀ

ଶରଦସଙ୍ଗ ଇତ୍ୟତ୍ର ମାନମ୍ ।