(ବନମାଳୀ— ରାଗ କଲ୍ୟାଣ, ତାଳ ରୂପକ)
ବାଟ ଛାଡ଼ ସୁହଟ ନାଗର
ଯମୁନା ଯିବି ନୀର ଆଣିକି
ଘାଟ ପାଇଁ ଯେବେ ଲଟ ଲଗାଇବ
ପ୍ରୀତିବନ୍ଧା ଦେବି ମଥାମଣିକି । ଘୋଷା ।
ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ
ଶାଶୁ ମୋ ଅଟଇ ସପତଣୀକି
ଆହେ ଗିରିଟେକା ନ କର ତୁ ଡକା
ତୁମ୍ଭ ଲାଗି ନ ଆସିବି ଏଣିକି । ୧ ।
ମୁହିଁ ବୃଷଭାନୁ ନୃପତିଙ୍କ ଜେମା
ଆନ ପ୍ରାୟେ ମୋତେ ଅଛ ମଣିକି
ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ
ଡର ନାହିଁ ପର ଭୂଆସୁଣୀକି । ୨ ।
ମୁଁ ଯେବେ ଏଥର ଆସିବି ପାଣିକି
ସଙ୍ଗେ ଆଣିଥିବି ସଖୀ ଶ୍ରେଣୀଙ୍କି
ବୋଲେ ବନମାଳୀ ଶୁଣ ଠାକୁରାଣୀ
ନିରାଶ ନକର ବେଣୁପାଣିକି । ୩ ।