(ହରିବନ୍ଧୁ— ରାଗ କୀରବାଣୀ, ତାଳ ରୂପକ)
ଏହି କଥାଟି ଅସାର
ହରଷ ବେଳେ ତୋହର
ତୁଷାର ମୟୂଖ ମୁଖୀ ପ୍ରାଣେଶଙ୍କ
ଅଙ୍କେ ବସି ରୁଷିବାର । ଘୋଷା ।
ଚତୁର ସୁନ୍ଦର ମୋହନ
ହେଲା ଉତ୍ତାରୁ ତୋ ସ୍ୱାଧୀନ
ପର ପରାୟରେ ରହି ଯାଇ ନୀର
ନୟନୁ ବୁହାଇବାର । ୧ ।
ନ ଦେଖିଣ ଲଭିଣ ଦୁଃଖ
ଲୋଡ଼ୁଥାଉ ତୋ ସଙ୍ଗ ସୁଖ
ପାଶକୁ ଆସିଲେ ମୁଖକୁ ନ ଚାହିଁ
ନଖେ କ୍ଷିତି ଖୋଳିବାର । ୨ ।
ଆରେ ପ୍ରୀତି କଳପ ଲତା
ତନ୍ୱାଙ୍ଗି ଚାତୁରୀ ପଣ୍ଡିତା
ଦୋଷ ଥିଲେ ରୋଷ ବହିବାର ବିଧି
ନିର୍ଦ୍ଦୋଷରେ ଦଣ୍ଡିବାର । ୩ ।
ତୋର ଅଭିପ୍ରାୟେ କଳ୍ପନା
କରି ସୁବେଶକୁ ରଚନା
ମିଳାଇବା ବେଳେ ଢୁଳା ଅଙ୍ଗି ଅଙ୍ଗ
ଲୁଚାଇ ଲୁଚିଯିବାର । ୪ ।
ଶ୍ରୀ ବୀର ପ୍ରତାପ ନରେଶ
ଭାଷେ ଆଳୀ ଭାବରେ ବଶ୍ୟ
ହୋଇ ଶ୍ରୀ କିଶୋରୀ ଲାଜ ହରଷରେ
ବଦନେ ବାସ ଦେବାର । ୫ ।