Ana Re Heti Sahi Ehiti

ଅନାରେ ହେଟି ସହି ଏହିଟି
(Haribandhu— Raga Punnaga Baradi, Tala Khemata)
(ହରିବନ୍ଧୁ— ରାଗ ପୁନ୍ନାଗ ବରାଡ଼ି, ତାଳ ଖେମଟା)

ଅନାରେ ହେଟି ସହି ଏହିଟି
ଖଞ୍ଜନ ନୟନା ନୟନାନ୍ତେଟି
ତନୂଦରି ତନୁ ବହି ସେ ଅତନୁ
ଆସି ଅଛିଟି । ଘୋଷା ।

କାମିନୀ ନିକର ମୋହ କରିବାର
ମନ୍ତ୍ର ଉଚ୍ଚେ ଉଚ୍ଚାରିଟି
ଉଭା ହୋଇଛନ୍ତି ପ୍ରାଣ ମିତଣୀରେ
ନିକୁଞ୍ଜ ଦେହଳୀରେଟି
ଆହା ସେ ନିଟିଳ ଅଳକାଟି
ପଟୀର ଚିତାକୁ ଉପମା ଦେବାକୁ
ଲୋଡ଼ିଲେ ମହୀରେ କାହିଁ ନାହିଁଟି । ୧ ।

ନୀଳ ଇନ୍ଦୀବର ବରନ ସୁନ୍ଦର
ସ୍ୱର୍ଣ୍ଣହାର ହୃଦରେଟି
ଘନ ପଟଳରେ ବିଦ୍ୟୁଲ୍ଲତା ଖେଳା
କଲା ପରିରେ ଦିଶେଟି
ଭୁଜ ବାହୁଟି ବଳାତ୍କାରେଟି
ଧୃତିକି ହଟିରେ ଧ୍ୱଂସି ଦେଉଅଛି
ରହି ରହି ଏଣେ ମନ୍ଦେ ହସିଟି । ୨ ।

କୁସୁମ ତୋଳିଲା ପରି କରି ହେଳା
ଏକା ରହି ଯାଅନାଟି
ସହଚରୀ ମାନେ ତାକୁ ଦେଖି ମନେ
ଉଦ୍‌ବେଗ ପଡ଼ି ଗଲେଟି
କୁଟିଳ ନଟୀ ଭ୍ରୂବଲ୍ଲୀକିଟି
ନଚାଉଛିଟି ସେ ହରିବନ୍ଧୁ ଭାଷେ
ଚିହ୍ନିଥାରେ ସେହି ଶ୍ୟାମ ବନ୍ଧୁଟି । ୩ ।