(ହରିବନ୍ଧୁ— ରାଗ ଆଶାବରୀ, ତାଳ ଯତି)
ଏଡ଼ି ଦେଇଛି ଯେ ଅଡ଼ି ବୃଷଭାନୁ ଜେମା
ବଢ଼ି କହିଲେ ଲପନକୁ ନ ଟେକି
ବୋଲେ ସେ କଥା ଛାଡ଼ ମା । ଘୋଷା ।
କେଉଁ ନାଗରୀର ସଙ୍ଗ ସୁଖ ପାଇ
ମାତି ରହିଲେ ତ୍ରିଯାମା
ବୋଲି ନ ଦେଖି ନ ଶୁଣି ପ୍ରାଣସହି
ଲୋଡ଼ି ଦୁଃଖ ସୁଖସୀମା । ୧ ।
ଅଭିସାର କାଳେ ସେ ଶ୍ୟାମ ଅଙ୍ଗରେ
ସ୍ୱବିମ୍ବ ଦେଖି ଏ ରାମା
ତେଣେ ରୋଷ ବହି ଭାରି ଆସି ଏଣେ
ଶୁଖାଇ ମୁଖ ସୁଷମା । ୨ ।
ଯାହାକୁ ତ୍ରୁଟିଏ ନ ଦେଖି କୋଟିଏ
ଯୁଗ ମଣଇଁ ଏ ଶ୍ୟାମା
ତାହାର ଗୁହାରି ନ ଶୁଣି ତିଆରି
କହିଲେ ରଖି ଗାରିମା । ୩ ।
ବୃନ୍ଦାବନ ଅଧିକାରୀ କହେ ହେ ଶ୍ରୀ
ବୃନ୍ଦାବନେଶ୍ୱରୀ ବାମା
ବେଶ ହୋଇ ବିଜେ କର ସେ ମୋହନ
ଦୋଷ ଥିଲେ କର କ୍ଷମା । ୪ ।