Asa Babu Gosthachala Chandrama

ଆସ ବାବୁ ଗୋଷ୍ଠାଚଳ ଚନ୍ଦ୍ରମା
(Haribandhu— Raga Bhatiari, Tala Jhula)
(ହରିବନ୍ଧୁ— ରାଗ ଭାଟିଆରୀ, ତାଳ ଝୁଲା)

ଆସ ବାବୁ ଗୋଷ୍ଠାଚଳ ଚନ୍ଦ୍ରମା ମୋହର ରେ
କୋଳେ ଧରି ଚୁମ୍ବ ଦେବି ଶ୍ରୀ ମୁଖେ ତୋହର ରେ । ଘୋଷା ।

କାହିଁକି କରୁ ରୋଦନ କି ନାହିଁ ମୋର ସଦନ
ଚିନ୍ତା ହଜା ଚିନ୍ତାମଣି ରତନର ହାର ରେ । ୧ ।

କ୍ଷଣେ ତୁନି ହୁଅ ଧନ କରାଇବି ସ୍ତନ୍ୟ ପାନ
ମ୍ଳାନ ନ କର ବଦନ ଦେବି କ୍ଷୀର ସର ରେ । ୨ ।

ଭାଇ ବଳରାମ ସଙ୍ଗେ ନର୍ତ୍ତନ କରରେ ରଙ୍ଗେ
ତୋ ନର୍ତ୍ତନ ଦେଖି ନେତ୍ର କରିବି ସୁଫଳ ରେ । ୩ ।

ଶ୍ରୀ ନାରାୟଣ ସେବାର ଫଳଟି ତୁହି ମୋହର
ଠୂଳ ହୋଇ ଲଭ୍ୟ ହେଲୁ ମୋ ଶ୍ୟାମ ସୁନ୍ଦର ରେ । ୪ ।

ତିଳାର୍ଦ୍ଧେ ହେଲେ ଅନ୍ତର ସ୍ମରୁ ନାହିଁ କୃତ୍ୟ ମୋର
ଦଶ ଦିଶ ଯାକ ମୋତେ ଦିଶଇ ଅନ୍ଧାର ରେ । ୫ ।

ହେଳାରେ ମୁ ଥିଲେ ରହି ଖେଳାରେ ଗୋପୀଏ ନେଇଁ
ଭୋଳାରେ ଲୁଚାଇଥାନ୍ତି ନ କହିଣ ଗିର ରେ । ୬ ।

କୃଷ୍ଣଙ୍କୁ ପ୍ରବୋଧି ଧୀରେ ଯଶୋଦା ଦଧି ମନ୍ଥିଲେ
ଭାବେ ହରିବନ୍ଧୁ ମଗ୍ନ ହୋଇ କହିବାର ରେ । ୭ ।