(ରାମଚନ୍ଦ୍ର ଦେବ— ରାଗ ବିଭାସ ଗୁଜ୍ଜରୀ, ତାଳ ଖେମଟା)
ସର୍ବ ସଖି ଏହା କରିବ
ଯେବେ ମୋ ପ୍ରାଣ ଯିବ । ଘୋଷା ।
କଫବାତ କଣ୍ଠାଗ୍ରତେ ଯେବେ ରୁନ୍ଧିବ
ଶ୍ୟାମ ତୁଳସୀ ମଞ୍ଜରୀ
ବଦନେ ଦେବ ମୋହରି
ଶ୍ୟାମ ନାମ ଯତ୍ନ କରି
ଶ୍ରବଣେ ଶୁଣାଉଥିବ । ୧ ।
ତମାଳ ଡାଳରେ ମୋତେ ବାନ୍ଧି ରଖିବ
ପିଣ୍ଡକୁ ମୋହର କେହି
ଦହନ କରିବ ନାହିଁ
ଅଇଲେ ପ୍ରାଣମାଧୋଇ
ତାଙ୍କୁ ବା ଦେଖାଇଦେବ । ୨ ।
ଶ୍ୟାମ ବଂଶୀସ୍ୱନ ସଖି ଯେଣେ ଶୁଭିବ
ସମୟ କାଳରେ ନେଇ
ସେ ଦିଗକୁ କର୍ଣ୍ଣ ଦେଇ
ଶ୍ୟାମ ରଜ ପଡ଼େ ଯହିଁ
ସେହି ପଥେ ଶୁଆଇଦେବ । ୩ ।
ରାମଚନ୍ଦ୍ର ସେ ଗୋବିନ୍ଦ ସତେ ଦେଖିବ
ସଖି ଶୁଣ ମୋ ବଚନ
ନୋହିଲେ ଏ ଅପଘନ
ଯମୁନା ଜଳେ ମୋହନ
ସ୍ନାନ ଘଟେ ଭସାଇ ଦେବ । ୪ ।