(ରାଜେନ୍ଦ୍ର ଦେବ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
ତାକୁ ଚାହାଁନା ଲୋ ମିତ କହୁଛି ସତ
ଘରବୁଡ଼ା କୁଳଛଡ଼ା ତା ପାଶେ ଯାଆନା । ଘୋଷା ।
କଳାବନ୍ତ ଲୋକ ଯେହି
ଦୂରନ୍ତ ଅଟଇ ସେହି
ନାହିଁ ତାହାଠାରେ ପରାପର ବିବେଚନା । ୧ ।
ଆମ୍ଭ ବସନ ଚୋରାଇ
ମାଗିଲେ ସେ ନ ଦିଅଇ
ଯେତେ ସ୍ନେହ କଲେ ତାର ପାଶକୁ ଯାଆ ନା । ୨ ।
ଆଣି ସ୍ନେହେ ଧରି କୋଳେ
ଜାଣିଛୁ ତା ବାଳ କାଳେ
କ୍ଷୀରପାନ ଦେଲା ବେଳେ ମାରିଛି ପୂତନା । ୩ ।
ମାନ ସଜନୀ ମୋ ଗିର
ଅଟଇ ସେ ଦଗାଦାର
ଉଡ଼ୁଛି ଅକୀର୍ତ୍ତି କେତେ ଗୋପପୁରେ ତା ନାଁ । ୪ ।
ରାଜଇନ୍ଦ୍ର ଦେବ କହି
ଶୁଣି ତା ପରାଣ ସହି
ବୋଲେ ସେ ମୋହର ସବୁ ତା ମୋତେ କହନା । ୫ ।